ମୁଖ୍ୟ ଖବର

ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର: ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି। ଏନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି।

ଜନାର୍ଦ୍ଦନ ପତି କହିଛନ୍ତି ଯେ ଆଜି ମୁଖ୍ୟ ଶାସନ ସଚିବଙ୍କ ଆମନ୍ତ୍ରଣକ୍ରମେ ଏକ ବୈଠକ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ ଯେ ସେ ହିଟ୍ ଆଣ୍ଡ ରନ୍ ଆଇନ୍ ସଂପର୍କରେ କେନ୍ଦ୍ର ଗୃହ ସଚିବଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ଗୃହ ସଚିବଙ୍କ କହିବା ଅନୁଯାୟୀ, ଏବେ ସରକାର ତାକୁ ଆଇନରେ ପରିଣତ କରିନାହାନ୍ତି। ଏଣୁ ସେନେଇ ଆନ୍ଦୋଳନ କରାଯିବା ଠିକ୍ ନୁହେଁ। ‌

ସୂଚନାଯୋଗ୍ୟ, ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ଭଳି ହୋଇଥିବା ଅଭିଯୋଗ କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ଏହାର ପ୍ରତିବାଦରେ ସୋମବାରଠାରୁ ମହାସଂଘ ଧର୍ମଘଟ ଡାକରା ଦେଇଥିଲା।  ଗତକାଲି ମହାସଂଘ ଆହୁରି କହିଥିଲା ଯେ ଓଡ଼ିଶା ସରକାର ଏହି ଶ୍ରମିକମାନଙ୍କୁ ନ୍ୟାୟ ଦିଅନ୍ତୁ। ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ। ରାଜ୍ୟ ସରକାର ଯଦି ପୁଲିସ ବଳ ଲଗାଇ ଶ୍ରମିକମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରନ୍ତି, ତେବେ ବୁଝିବାକୁ ହେବ ଯେ ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚାହୁ ନାହାନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସିଟୁ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଉପସଭାପତି ସତ୍ୟାନନ୍ଦ ବେହେରା, ସମ୍ପାଦକ ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ମହାସଂଘର ସାଧାରଣ ସମ୍ପାଦକ ଉଲ୍ଲାସ ସ୍ବାଇଁ, ବିମାନ ମାଇତି, ପ୍ରଦୀପ୍ତ ନାୟକ ଓ ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *