ଅପରାଧ

ବ୍ୟବସାୟୀଙ୍କୁ ୨ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରର ଜଣେ ଜଣାଶୁଣା ଯୁବ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ‌ହୋଇଛି।  ଆଜି ଦିନ ସାଢ଼େ ଗୋଟାଏ ବେଳେ ଜ୍ୟୋତିମିଲ ଛକ ଡେଙ୍ଗାତୋଟା ଶ୍ମଶାନ ନିକଟରେ ଯୁବ ବ୍ୟବସାୟୀ ଆଦର୍ଶ ଅଗ୍ରୱାଲ ଘରକୁ ଫେରୁଥିବା ବେଳେ ତାଙ୍କୁ ଲକ୍ଷ୍ୟ କରି ଦୁଇ ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଗୁଳି ପୁଟାଇ ଘଟଣାସ୍ଥଳରୁ ଫେରାର ମାରିଛନ୍ତି। ତେବେ ଭାଗ୍ୟବଶତଃ ଉକ୍ତ ବ୍ୟବସାୟୀଙ୍କୁ ଏହି ଗୁଳି ବାଜି ନାହିଁ। ସେ ବସିଥିବା କାରର କବାଟରେ ବାଜି ତଳକୁ ୨ଟି ଖୋକା ଖସି ପଡ଼ିଛି। ଏ ନେଇ ସୂଚନା ପାଇ ତୁରନ୍ତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସକୁ ଦେଖିକି ଦୁଇ ଜଣ ଦୁର୍ବୃତ୍ତ ଡେଙ୍ଗାତୋଟା ଶ୍ମଶାନ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଦିନ ଦ୍ବିପହରରେ ଦୀର୍ଘ ୪ବର୍ଷ ପରେ ଏଭଳି ୨ରାଉଣ୍ଡ ଗୁଳି ପୁଟିବା ପୁଲିସ ପ୍ରତି ଖୋଲାଖୋଲି ଚ୍ୟାଲେଞ୍ଜ ସୃଷ୍ଟି କରିଛି।ସୂଚନା ଅନୁଯାୟୀ, ସହରର ବିଶିଷ୍ଟ ବ୍ୟବସାୟୀ ଅଂଜନୀ ଅଗ୍ରୱାଲଙ୍କ ନାତି ତଥା ପବନ ଅଗ୍ରୱାଲଙ୍କ ପୁଅ ଆଦର୍ଶ ଆଜି ଅପରାହ୍‌ଣ ସମୟରେ ନିଜ ନେକ୍ସା ସୋ’ ରୁମରୁ ମଧ୍ୟାହ୍ଣ ଭୋଜନ ପାଇଁ ଘରକୁ ଆସୁଥିଲେ। ଘର ଠାରୁ ମାତ୍ର ୨୦୦ମିଟର ପହଚିଂବାକୁ ଥିବା ବେଳେ ‌ଜୟନଗର ଛକ ଡେଙ୍ଗାତୋଟା ଶ୍ମଶାନ ନିକଟରେ ଗୋଟିଏ ଧଳା କାରରେ ଦୁଇ ଜଣ ଦୁର୍ବୃତ୍ତ ଓହ୍ଲାଇ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ମାରିବାକୁ ଉଦ୍ୟମ କରୁଥିଲେ। ଏସମୟରେ ଜଣେ ବ୍ୟକ୍ତି ସାଇକେଲରେ ନିଜ ପିଲାକୁ ନେଇକି ସେହି ବାଟ ଦେଇ ଆସୁଥିଲେ। ସେ ଏହା ଦେଖି ଭୟଭୀତ ହୋଇ ପ୍ରବଳ ଚିତ୍କାର କରିଥିଲେ। ଏହି ସମୟରେ ଦୁର୍ବୃତ୍ତଙ୍କ ଲକ୍ଷ୍ୟଭ୍ରଷ୍ଟ ହେବା ସହ କାରର କବାଟରେ ଗୁଳି ବାଜିଥିଲା। ଏ ନେଇ ସୂଚନା ପାଇବା ପରେ ଭାରପ୍ରାପ୍ତ ଟାଉନଥାନା ଅଧିକାରୀ ତଥା ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ଗୋଟିଏ ଟିମକୁ ନେଇ ତୁରନ୍ତ ଘଟଣାସ୍ଥଳରେ ପହଚିଂଥିଲେ। ପୁଲିସକୁ ଦେଖିକି ଉକ୍ତ ୨ଜଣ ଯୁବକ ଘଟଣାସ୍ଥଳରୁ ଡେଙ୍ଗାତୋଟା ଶ୍ମଶାନ ଦେଇ  ଫେରାର ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *