ମୁଖ୍ୟ ଖବର

ବିଦ୍ୟୁତ୍‌ ତାର ଲାଗି ଜଳିଗଲା କାର୍‌, ୪ ଆହତ

ସାକ୍ଷୀଗୋପାଳ: ପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ କୋଲକାତାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଏକ କାର ନିଆଁ ଲାଗି ଜଳିଯାଇଛି। ଏହି ଦୁର୍ଘଟଣାରେ ଏକ ଦୋକାନ ଓ କାର ଜଳି ଯାଇଛି। କାରରେ ଥିବା ଜଣେ ବାଳକ ସମେତ ମୋଟ ୪ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା ସମୟରେ ଦୋକାନୀ ଜଣକ ଦୋକାନରେ ନ ଥିଲେ। ଫଳରେ ସେ ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି।ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ  ସମୟରେ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ଏକ କାର ( ୱାଗନର) ହଠାତ ଭାରସାମ୍ୟ ହରାଇ ରାଜପଥର ବାମ ପାର୍ଶ୍ଵରେ ଥିବା ବିରଞ୍ଚି ଭୋଇଙ୍କ ଦୋକାନ ଓ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ସହିତ ପିଟି ହୋଇ ହୋଇ ଯାଇଥିଲା। ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ହଠାତ କାର ଓ ଦୋକାନ ଜଳି ଉଠିଥିଲା। କାରରେ ବସିଥିବା  ପ୍ରସନ୍ନଜିତ ରାୟ (୪୩), ସପନ ସରକାର (୩୯), ସ୍ତ୍ରୀ ସୋମରାୟ ସରକାର  (୩୯) ଓ ତାଙ୍କର ୧୨ ବର୍ଷର ପୁଅ ଗୁରୁତର ଆହତ ଅବସ୍ଥାରେ ବାହାରି ଆସିଥିଲେ।ସ୍ଥାନୀୟ ଜନସାଧାରଣ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ  ଓ ପ୍ରକାଶ ଖଟୋଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଆବଶ୍ୟକ ଚିକିତ୍ସା କଥା ବୁଝିଥିଲେ। କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ନମ୍ବର ଜଣା ପଡ଼ିନାହିଁ। ଏହି ଦୁର୍ଘଟଣାରେ ବିରଞ୍ଚି ଭୋଇଙ୍କ କ୍ୟାବିନ, ୨ ଗୋଟି ଫ୍ରିଜ, ଗ୍ୟାସ ଚୁଲା, ଗ୍ୟାସ ସିଲିଣ୍ଡର, ସିଗାରେଟ, ବିସ୍କୁଟ ଓ ଅନ୍ୟ ସାମଗ୍ରୀ ଆଦି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ  ପୋଡି ଯାଇଛି। ସାକ୍ଷୀଗୋପାଳରୁ ଦମକଳ ଗାଡ଼ି ଯାଇ ନିଆଁକୁ ଆୟତ୍ତ କରିଥିଲେ। ତାର ଛିଣ୍ଡି ଯାଇଥିବାରୁ କିଛି ସମୟ ନିମନ୍ତେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା।

Leave a Reply

Your email address will not be published. Required fields are marked *