ରାଜ୍ୟ

ସୋରରେ ୬୦ରୁ ଅଧିକ ବେଆଇନ୍‌ ପାଥୋ​ଲାବ୍‌

ସୋର: ପାଥୋ​ଲୋଜି ରିପୋର୍ଟ ଠିକ୍‌ କି ଭୁଲ୍‌? ଏପରି ପ୍ରଶ୍ନ ଏବେ ସୋରବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। କାରଣ ସୋର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅଧିକାଂଶ ପାଥୋଲାବ୍‌ ବିନା ସରକାରୀ ଅନୁମତିରେ ଏବଂ ମନମୁଖି ଭାବେ ଚାଲିଥିବା ଜଣାପଡ଼ିଛି।
ସୋର ସହର ସହ ଗ୍ରାମାଞ୍ଚଳରେ ଅନେକ ପାଥୋଲୋଜି ଖୋଲିଛି। ଯେଉଁଠି ରୋଗୀମାନେ ବିଭିନ୍ନ ଶାରୀରିକ ପରୀକ୍ଷା କରାଉଛନ୍ତି। ତେବେ ଅଧିକାଂଶ ପାଥୋଲାବ୍‌ ବିନା ସରକାରୀ ଅନୁମତିରେ ଏବଂ ମନମୁଖି ଭାବେ ଚାଲିଛି। ସୂଚନା ଅଧିକାର ଆଇନ​ ବଳରେ ମିଳିଥିବା ତଥ୍ୟ କହୁଛି, ଏଠାରେ ଏବେ ୬୦ରୁ ଅଧିକ ପାଥୋଲାବ୍‌ ରହିଛି। ହେଲେ ମାତ୍ର ୪ଟି ଲାବ୍‌ ଚଳାଇବା ନେଇ ସରକାର ଅନୁମତି ଦେଇଛନ୍ତି। ସେଗୁଡ଼ିକ ହେଲା; କମାଣପୁରସ୍ଥିତ ବଳଭଦ୍ର ହେଲ୍‌ଥ କେୟାର୍‌, ଉତ୍ତରେଶ୍ୱରସ୍ଥିତ ମହାପାତ୍ର ହେଲ୍‌ଥ କେୟାର୍‌, ଉତ୍ତରେଶ୍ୱରସ୍ଥିତ ପ୍ରଦୀପ ହସ୍‌ପିଟାଲ୍‌ ଓ ମୂଳେଶ୍ୱରସ୍ଥିତ ମିଶ୍ର ନର୍ସିଂହୋମ୍‌। ଅନେକ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ପାଥୋଲାବ୍‌ ଚଳାଇଛନ୍ତି।ସେହିପରି ଜଣେ ପ୍ରତିଷ୍ଠିତ ଡାକ୍ତର ମଧ୍ୟ ନିଜସ୍ୱ କ୍ଲିନିକ୍‌ରେ ବେଆଇନ ପାଥୋଲାବ୍‌ ଖୋଲିଛନ୍ତି। ଯେଉଁଠି ଅନେକ କର୍ମଚାରୀ ଅନଭିଜ୍ଞ ଥିବା ମଧ୍ୟ ଖବର ରହିଛି। ଏପରି ସମୟରେ ଗୋଟିଏପଟେ ପାଥୋଲାବ୍‌ ମାଲିକମାନେ ମାଲାମାଲ୍‌ ହେଉଥିବା ବେଳେ ଅନ୍ୟପଟେ ପାଥୋଲୋଜି ରିପୋର୍ଟ ଠିକ୍‌ କି ଭୁଲ୍‌, ସେନେଇ ପ୍ରଶ୍ନ ଉଠୁଛି। ରୋଗୀମାନେ ଆଶଙ୍କା ଭିତରେ ରହୁଛନ୍ତି। ଦେଖାଯାଉଛି, ବିଭିନ୍ନ ସମୟରେ ଭୁଲ୍‌ ରିପୋର୍ଟ ପାଇଁ ସେମାନେ ସମସ୍ୟାରେ ପଡ଼ୁଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ତଥା ପ୍ରଶାସନ ପାଖରେ ଖବର ରହିଛି। ହେଲେ ବେଆଇନ ପାଥୋଲାବ୍‌ ମାଲିକଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେବେ ତୁରନ୍ତ ବେଆଇନ ପାଥୋଲାବ୍‌ଗୁଡ଼ିକ ଉପରେ ଚଢ଼ଉ କରାଯାଇ, ସେଗୁଡ଼ିକୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *