ବିଶେଷ

ପ୍ରଗତିର ସାରଥି ଥିଲେ ବିଜୁ

ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସମାଜର ସାମଗ୍ରିକ ବିକାଶରେ ମହିଳାମାନଙ୍କ ଭାଗୀଦାରିକୁ ବଢ଼ାଇବା ସକାଶେ ୧୯୯୨ ମସିହାରେ ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରାଇଥିଲେ। ଏଣୁ ତାଙ୍କର ଜନ୍ମତିଥିକୁ ସାରା ରାଜ୍ୟରେ ପଞ୍ଚାୟତି ଦିବସ ରୂପେ ପାଳନ କରାଯାଉଛି।

ଛାତ୍ର ଜୀବନରୁ ସେ ନିର୍ଭୀକ ଓ ସାହସୀ ଥିଲେ। ମାତ୍ର ୨୧ ବର୍ଷ ବୟସରେ ଦୁଃସାହାସିକ ବିମାନଚାଳକ ହେବାର ଗୌରବ ଅର୍ଜନ କରିଥିଲେ। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ବ୍ରିଟିଶ ବାୟୁସେନାରେ କାର୍ଯ୍ୟରତ ଥାଇ ସୁଦ୍ଧା, ଭାରତୀୟ ମୁକ୍ତି ଆନ୍ଦୋଳନର ପ୍ରମୁଖ ସେନାନୀ ଜୟପ୍ରକାଶ ନାରାୟଣ, ଅରୁଣା ଆସଫ ଅଲ୍ଲୀ, ଅଚ୍ୟୁତ ପଟ୍ଟବର୍ଦ୍ଧନ ଓ ଡ. ରାମମନୋହର ଲୋହିଆ ପ୍ରମୁଖଙ୍କୁ ଗୋପନରେ ନେବାଆଣିବା ଅଭିଯୋଗରେ ଇଂରେଜ ସରକାରଙ୍କ ଦ୍ବାରା ଦେଶଦ୍ରୋହ ମାମଲାରେ ଗିରଫ ହୋଇ ୨ ବର୍ଷ କାରାଦଣ୍ଡ ଭୋଗିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅନୁରୋଧକ୍ରମେ ୧୯୪୭ ମସିହା ଜୁଲାଇ ୨୪ ତାରିଖରେ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ସୁଲତାନ ସାହାରିୟର ଓ ଉପରାଷ୍ଟ୍ରପତି ଡ. ମହମ୍ମଦ ହଟ୍ଟାଙ୍କୁ ଡଚ୍‌ମାନଙ୍କ କବଳରୁ ଉଦ୍ଧାର କରିଥିଲେ। ତାଙ୍କର ଏହି ବୀରତ୍ବ ଓ ଅଦ୍ୟମ ସାହସର ନିଦର୍ଶନ ସ୍ବରୂପ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଓ ପରବର୍ତ୍ତୀ ସମୟରେ ସେ ଦେଶର ସର୍ବଶ୍ରେଷ୍ଠ ଜାତୀୟ ସମ୍ମାନ ‘ବିନଟାଙ୍ଗ ଯଶଉତ୍ତମ’ ସମ୍ମାନରେ ସମ୍ମାନିତ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସୋଭିଏତ ରୁଷ୍‌କୁ ସହାୟତା କରି ସେ ରୁଷିଆର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ‘ଅର୍ଡର ଅଫ୍ ଲେନିନ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

ପାକିସ୍ତାନର କାଶ୍ମୀର ଆକ୍ରମଣ ସମୟରେ ୧୯୪୭ ମସିହା ଅକ୍ଟୋବର ୨୭ ତାରିଖ ଦିନ ଲେଫ୍ଟନାଣ୍ଟ ଜେନେରାଲ ଦିୱାନ ରଂଜିତ ରାୟଙ୍କ ନେତୃତ୍ବରେ ୧୭ ଜଣ ଶିଖ୍ ରେଜିମେଣ୍ଟର ଯବାନଙ୍କୁ ସ୍ବତନ୍ତ୍ର ବିମାନରେ ଶ୍ରୀନଗର ପହଞ୍ଚାଇଥିଲେ। କଳିଙ୍ଗ ନାମକୁ ଦେଶବିଦେଶରେ ପରିଚିତ କରାଇବା ପାଇଁ ଏବଂ ଓଡ଼ିଶାରେ ଶିଳ୍ପ ପ୍ରଗତି ପାଇଁ ନିଜସ୍ବ ଉଦ୍ୟମରେ କଳିଙ୍ଗ ନାମରେ ବିଭିନ୍ନ କଳକାରଖାନା ପ୍ରତିଷ୍ଠା କରିଥିଲେ। ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ୧୯୫୧ରେ ପ୍ରତିଷ୍ଠା କରିଥିଲେ ‘କଳିଙ୍ଗ ପୁରସ୍କାର’। ତାଙ୍କ ପ୍ରଦତ୍ତ ଧନରାଶିର ସୁଧଲୁବ୍ଧ ଅର୍ଥରୁ ଏବେ ମଧ୍ୟ ୟୁନେସ୍କୋ ଦ୍ୱାରା କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଉଛି।
ବିଜୁବାବୁ ୧୬ ଥର ବିଧାନସଭା, ରାଜ୍ୟସଭା ଓ ଲୋକସଭାକୁ ନିର୍ବାଚିତ ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ କେନ୍ଦ୍ରରେ ଖଣି ଓ ଇସ୍ପାତ ମନ୍ତ୍ରୀ ଥିବା ସମୟରେ ଅନୁଗୁଳଠାରେ ନାଲକୋ ପ୍ରକଳ୍ପ ଜନ୍ମ ନେଇଥିଲା।

ପ୍ରଥମଥର ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ରୂପେ ୧୯୬୧ ଜୁନ ୨୧ରୁ ୧୯୬୩ ଅକ୍ଟୋବର ପର୍ଯ୍ୟନ୍ତ ମାତ୍ର ଦୁଇ ବର୍ଷ ଆଠ ମାସ ପାଇଁ କାର୍ଯ୍ୟ ତୁଲାଇଥିଲେ। ଏହି ସ୍ବଳ୍ପକାଳର ମୁଖ୍ୟମନ୍ତ୍ରିତ୍ବ ସମୟରେ ତାଙ୍କର କୃତିଗୁଡ଼ିକ ଭିତରେ ରହିଛି- ପାରାଦୀପ ବନ୍ଦର, ସୁନାବେଡା ମିଗ୍‌ ବିମାନ କାରଖାନା, ରାଉରକେଲା ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ, ଭୁବନେଶ୍ବରରେ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ ସୈନିକ ବିଦ୍ୟାଳୟ, ଏକ୍ସପ୍ରେସ ହାଇୱେ, ବାଲିମେଲା ବହୁମୁଖୀ ଜଳବିଦ୍ୟୁତ୍ ଯୋଜନା, ତାଳଚେରରେ ତାପଜ ବିଦ୍ୟୁତ୍ ପରିଯୋଜନା ପ୍ରମୁଖ। ଦୀର୍ଘ ୨୭ ବର୍ଷପରେ ପୁଣି ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଦ୍ବିତୀୟବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରି ଓଡ଼ିଶାକୁ ୧୩ରୁ ୩୦ଟି ଜିଲ୍ଲାରେ ପରଣିତ କରିଥିଲେ ଏବଂ ରାଜ୍ୟରେ ତିନିହଜାର ଉଚ୍ଚ ଓ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଘୋଷଣା କରିଥିଲେ।

ବିଳମ୍ବରେ ହେଲେ ମଧ୍ୟ ତାଙ୍କ ସୁପୁତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଉଦ୍ୟମ ଫଳରେ ଏହି ମହାନ ଯୋଦ୍ଧାଙ୍କ ସାହାସିକତା ଓ ପରାକ୍ରମର ମୂକସାକ୍ଷୀ ତାଙ୍କ ପ୍ରିୟ ଐତିହାସିକ ଡାକୋଟା ବିମାନ ଓଡ଼ିଶାକୁ ଫେରିବା ଗୌରବର କଥା। ରାଜନୀତିର ସର୍ବୋଚ୍ଚ ସ୍ତରକୁ ଯାଇ ମଧ୍ୟ କ୍ଷମତାର ଲୋଭ ତାଙ୍କୁ ସ୍ପର୍ଶ କରିପାରି ନ ଥିଲା। ତାଙ୍କର ଜାତିପ୍ରୀତି, ଦେଶପ୍ରୀତି, ତ୍ୟାଗ, ନିଷ୍ଠା ଓ ବଳିଦାନ ଆଜି ତାଙ୍କୁ ଚିର ଅମର କରି ରଖିଛି।

Leave a Reply

Your email address will not be published. Required fields are marked *