Oplus_16908288
ଜିବୁତି ସିଟି,: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଅତି କମ୍ରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ ଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ (IOM) ରବିବାର ଏହି ସୂଚନା ଦେଇଛି।IOM ଅନୁସାରେ, ଡଙ୍ଗାଟି ଜିବୁତିରୁ ୟେମେନ ଅଭିମୁଖେ ଯାଉଥିବା ବେଳେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫୨ ଜଣ ପୁରୁଷ, ୪୨ ଜଣ ମହିଳା ଓ ୧୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୮୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅତି କମ୍ରେ ୧୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ଆଫ୍ରିକାର ‘ହର୍ଣ୍ଣ ଅଫ୍ ଆଫ୍ରିକା’ ଅଞ୍ଚଳରୁ ହଜାର ହଜାର ପ୍ରବାସୀ ସୁରକ୍ଷା ଓ ଉନ୍ନତ ଆର୍ଥିକ ସୁଯୋଗ ଖୋଜି ଜିବୁତି ଦେଇ ଉପସାଗରୀୟ ଦେଶଗୁଡ଼ିକ ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ଯାତ୍ରାରେ ସେମାନଙ୍କୁ ବାବ୍-ଅଲ୍-ମନ୍ଦେବ୍ ଜଳପଥ ଅତିକ୍ରମ କରିବାକୁ ପଡ଼ିଥାଏ।ୟେମେନରେ ହିଂସା ଜାରି ରହିଥିଲେ ମଧ୍ୟ ଏହି ପ୍ରବାସ ଯାତ୍ରା ବନ୍ଦ ହୋଇନାହିଁ । ଅନେକ ପ୍ରବାସୀ ଏହି ବିପଦପୂର୍ଣ୍ଣ ସମୁଦ୍ରପଥ ଦେଇ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଜିବୁତିରେ IOM ମିଶନ୍ ମୁଖ୍ୟ ଆଲେକ୍ଜାଣ୍ଡର କୋଏସାକ୍ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ, ଏହା ଜୀବନର ଏକ ବଡ଼ କ୍ଷତି। ଆର୍ଥିକ ସୁଯୋଗର ସନ୍ଧାନରେ ଏହି ପ୍ରବାସ ପଥ ଦେଇ ଯାତ୍ରା କରୁଥିବା ଲୋକମାନେ କେତେ ବିପଦର ସମ୍ମୁଖୀନ ହେଉଛନ୍ତି, ଏହି ଦୁଃଖଦ ଘଟଣା ତାହାର ଏକ ଗମ୍ଭୀର ସ୍ମାରକ ବୋଲି ସେ କହିଛନ୍ତି। ଘଟଣା ପରେ ନିଖୋଜ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
