ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରର ଶୀତଳା ମାତା ମନ୍ଦିର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଅନିୟନ୍ତ୍ରିତ ଟ୍ରକ୍ ଧକ୍କା ଦେବାରୁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଏବଂ ୪୦ ଆହତ ହୋଇଛନ୍ତି। ଛିନୋରରୁ ଯାଉଥିବା ରାସ୍ତାରେ ପ୍ରାୟ ୧ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଗ୍ବାଲିୟର ଏସଏସପି ଧର୍ମବୀର ସିଂହ କହିଛନ୍ତି ଯେ ନବରାତ୍ରି ସମୟରେ ବହୁ ସଂଖ୍ୟକ ଭକ୍ତ ମନ୍ଦିରକୁ ଯାଉଥିଲେ। ସେ କହିଛନ୍ତି ଯେ ଧାନ ବୋଝେଇ ଏକ ଟ୍ରକ୍ ପୁଲିସ ବ୍ୟାରିକେଡ୍ ଭାଙ୍ଗି ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଟ୍ରକ୍ ଟି ତଳକୁ ଗଡ଼ି ମନ୍ଦିରର ବାହାର କାନ୍ଥ ଏବଂ ଫାଟକରେ ପିଟି ହୋଇଗଲା। ରାସ୍ତାରେ ଥିବା ଭକ୍ତମାନେ ଧକ୍କା ଖାଇଥିଲେ। ଘଟଣାସ୍ଥଳରେ ନିୟୋଜିତ ଦୁଇ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଏସଏସପିଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୩୯ ଜଣଙ୍କୁ ଡାକ୍ତରଖାନା ନିଆଯାଇଛି, ଯେଉଁଥିରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପାଞ୍ଚରୁ ଛଅ ଜଣ ରୋଗୀ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କର ହାଡ଼ ଭଙ୍ଗିଛି ହୋଇଛି। ଅନ୍ୟମାନେ ସାମାନ୍ୟ ଆଘାତ ପାଇଛନ୍ତି।ଜିଲ୍ଲାପାଳଙ୍କ ପ୍ରତିକ୍ରିୟା…କଲେକ୍ଟର ରୁଚିକା ଚୌହାନ କହିଛନ୍ତି ଯେ ସୂଚନା ମିଳିବା ମାତ୍ରେ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଯାନବାହନ ଘଟଣାସ୍ଥଳକୁ ପଠାଯାଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଞ୍ଚରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାୟ ୨୯ ଜଣ ବିଭିନ୍ନ ଆଘାତର ଶିକାର ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନବରାତ୍ରି ସମୟରେ ଏକ ରାସ୍ତା ଅଟକ ଏବଂ ଏକ ପୁଲିସ ଚେକ୍ପୋଷ୍ଟ ଥିଲା। ଟ୍ରକ୍ କିପରି ଭିତରକୁ ପଶିଲା ତାହା ତଦନ୍ତର ବିଷୟ। କ’ଣ କହିଲେ ପ୍ରତକ୍ଷ୍ୟଦର୍ଶୀଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଘଟଣାଟି ପ୍ରାୟ ୧ଟା ସମୟରେ ଘଟିଥିଲା। ମୁଁ କିଛି ଲୋକଙ୍କୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିବାର ଦେଖିଛି। ଟ୍ରକ୍ ଟି ଓଭରଲୋଡ୍ ଥିଲା। ଏହା ହଠାତ୍ ଆସି କିଛି ଦୋକାନ ଏବଂ ଲୋକଙ୍କୁ ଚାପି ଦେଇଥିଲା। ମୋ ଭାଇ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
