ଭୁବନେଶ୍ବର: ଲାଞ୍ଚ ନେବା ମାମଲାରେ କଟକଜିଲ୍ଲା ସାଲେପୁର ତହସିଲର ରାଜସ୍ବ ନିରୀକ୍ଷକ (ଆର୍ଆଇ) ପ୍ରଶାନ୍ତ କୁମାର ନାୟକଙ୍କୁ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ (ଭିଜିଲାନ୍ସ) ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନାନୁସାରେ, ଆସାମୀ ନାୟକ କଟକ ଜିଲ୍ଲା କିଷନନଗର ତହସିଲ ଅଧୀନ ସମିତାଙ୍ଗ ରାଜସ୍ବ ନିରୀକ୍ଷକ ସର୍କଲର ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ଜଣେ ବ୍ୟକ୍ତିଙ୍କ ଠାରୁ ଜମିଜମା ସଂକ୍ରାନ୍ତୀୟ ମାମଲାରେ ଲାଞ୍ଚ ନେଇ ଭିଜିଲାନ୍ସ ଟିମ୍ ହାତରେ ରଙ୍ଗେହାତ ଧରାପଡ଼ିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୭/୧୩(୨) ସହ ୧୩(୧)(ଡି)ରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ଉଭୟ ପକ୍ଷର ଯୁକ୍ତି, ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଆଜି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଆସାମୀ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି। ଏହାପରେ ଭିଜିଲାନ୍ସ ବିଭାଗପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଆସାମୀଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି। ଆଇନାନୁସାରେ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।
