Oplus_16908288
ଲକ୍ଷ୍ନୌ,: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍ଚୁପ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଶିଶୁ, ମହିଳା ଓ ବୟସ୍କ ବ୍ୟକ୍ତି ରହିଛନ୍ତି । ଏକାଧିକ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତଙ୍କୁ ସିଦ୍ଧାର୍ଥନଗର ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି।ସୂଚନା ଅନୁସାରେ, ଖେସରା ଥାନା ଅଞ୍ଚଳର କଲନାଖୋର, ପେଡ଼ାରୀ ସମେତ ଆଖପାଖର ୨ରୁ ୩ଟି ଗାଁରେ ଜଣେ ସ୍ଥାନୀୟ ଗୁପଚୁପ ବିକାଳି ବୁଲି ବୁଲି ଗୁପ୍ଚୁପ୍ ବିକ୍ରି କରୁଥିଲେ। ଗ୍ରାମବାସୀ ତାଙ୍କଠାରୁ ଗୁପଚୁପ ଖାଇଥିଲେ। ଏହାର କିଛି ସମୟ ପରେ ଲୋକଙ୍କୁ ବାନ୍ତି, ମୁଣ୍ଡ ବୁଲାଇବା ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥିଲା। ଜଣଙ୍କ ପରେ ଜଣେ ଅସୁସ୍ଥ ହେବାରୁ ଗାଁରେ ଆତଙ୍କ ଖେଳିଯାଇଥିଲା।ପ୍ରଥମେ ପରିବାର ଲୋକେ ଅସୁସ୍ଥଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସ୍ଥିତିରେ ସୁଧାର ନଆସିବା ସହ ବାନ୍ତି, ଝାଡ଼ା ଓ ପେଟ ଯନ୍ତ୍ରଣା ବଢ଼ିବାରୁ ସେମାନଙ୍କୁ ଖେସରା ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ଏବଂ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍ସି)କୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅନେକ ରୋଗୀଙ୍କୁ ଜିଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ଅଧିକାଂଶ ରୋଗୀଙ୍କ ସ୍ଥିତି ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି। ତେବେ କିଛି ଛୋଟ ପିଲାଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତରୀ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିବା ସହ ଚିକିତ୍ସା ଜାରି ରଖିଛନ୍ତି। ଦୀପାବଳି ଦିନ ଏତେ ସଂଖ୍ୟକ ଲୋକ ଅସୁସ୍ଥ ହେବା ଘଟଣାରେ ପୀଡ଼ିତ ପରିବାର ଚିନ୍ତାରେ ପଡ଼ିଛନ୍ତି।
