ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ
ପୁରୀ: କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ସହିତ ଶ୍ରାରାଧାଙ୍କ ସୁନାବେଶ ଦର୍ଶନ ପାଇଁ ରବିବାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଠାକୁରଙ୍କ ଭୋଗଲାଗି କରିବାକୁ ମନ୍ଦିର ବେଢ଼ାରେ ଚୁଡ଼ାଘଷା ମହକ ସାଙ୍ଗକୁ ଶହଶହ ସଂକୀର୍ତ୍ତନ ମଣ୍ଡଳୀଙ୍କ ହରିନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରାତି ୧ଟାରୁ ମନ୍ଦିର ଦ୍ୱାର ଖୋଲା, ମଙ୍ଗଳ ଆଳତି, ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀନାରାୟଣ ବେଶ, ସୂର୍ଯ୍ୟ ପୂଜା, ଦାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୁପ ଓ ଆଳତି ଦେବନୀତି ପରେ ସକାଳ ୬ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା।ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧକାରୀ ସନ୍ତୋଷ କୁମାର ପାଣିଗ୍ରାହୀ,ବିଡିଓ ଦେବାଶିଷ ନାୟକ , ଏସ୍ଡିପିଓ ଦେବାଶିଷ ମିଶ୍ର,ଆଇଆଇସି ବିଜୟ କେତନ ବେହେରା, ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡ଼ାଙ୍କ ସହିତ ସେବାୟତ ସଂଘର କର୍ମକର୍ତ୍ତା, ବରିଷ୍ଠ ସେବାୟତ ଓ କର୍ମଚାରୀ ବୃନ୍ଦ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକ ଓ ଫୁଲମାଳାରେ ସଜ୍ଜା ଯାଇଥିବା ବେଳେ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ୩ ଦିନ ବ୍ୟାପୀ ଆୟୋଜିତ ଶ୍ରୀ ରାଧା ଉତ୍ସବରେ ପଲ୍ଲିଶ୍ରୀ ମେଳା ପ୍ରଦର୍ଶନୀ ସହିତ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।
