ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ’: ବିମାନବନ୍ଦରରୁ ଜନତା ମଇଦାନ ଯାଏଁ ସମର୍ଥକଙ୍କ ଭିଡ଼
ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବାଗତ କରାଯାଇଛି। ମୋଦୀଙ୍କ ସ୍ବାଗତ ପାଇଁ କଳାକାରମାନେ ପ୍ରସ୍ତୁତି ଦେଇଛନ୍ତି। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ଜନତା ମଇଦାନରେ ପହଞ୍ଚିଛନ୍ତି। ତାଙ୍କର ଏକ ଝଲକ ପାଇବା ପାଇଁ ସମର୍ଥକମାନେ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାରେ ହେବାକୁ ଥିବା ରାଲିର ଉଭୟ ପାର୍ଶ୍ବରେ ଅପେକ୍ଷା କରିଥିଲେ। ମୋଦୀଙ୍କ ସମର୍ଥକମାନେ ଉତ୍ସାହିତ ଦେଖାଯାଇଛନ୍ତି। ତ୍ରିରଙ୍ଗା ପତାକା ଦେଖାଇ, ହାତ ହଲାଇ ମୋଦୀଙ୍କୁ ସ୍ବାଗତ କରୁଛନ୍ତି। ସ୍ଥାନେ ସ୍ଥାନେ ପୁଷ୍ପ ବର୍ଷା କରାଯାଉଥିବା ବେଳେ ପାରଂପରିକ ବାଦ୍ୟ ବଜାଇଛନ୍ତି। ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯଦିଓ ଏହି ଗସ୍ତ କରିଛନ୍ତି, ଏହାର ଲକ୍ଷ୍ୟ ଆହୁରି ଅନେକ ହୋଇପାରେ। ସେ ସ୍ଥାନୀୟ ଜନତା ମଇଦାନରେ ବିରାଟ ସମାରୋହରେ ଓଡ଼ିଶାର ଜନତାଙ୍କୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ସେ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ ସୋ’ କରୁଛନ୍ତି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଓଡ଼ିଶା ଭିଜନ୍-୨୦୩୬ ଓ ୨୦୪୭’ ପୁସ୍ତିକାକୁ ଉନ୍ମୋଚନ କରିବେ। ଏହାସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ମୋଦୀ ତା’ର ରୋଡ୍ ମ୍ୟାପ୍ ଘୋଷଣା କରିବେ। ସରକାର କିପରି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି ପାଳନ କରୁଛନ୍ତି ଏବଂ କ’ଣ କରିବାକୁ ଯୋଜନା କରିଛନ୍ତି, ସେ ନେଇ ମଧ୍ୟ କହିବେ।ପ୍ରଧାନମନ୍ତ୍ରୀ ଏହି ଅବସରରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୩ କିମିର ସୋନପୁର-ପୁରୁଣାକଟକ ନୂତନ ରେଳ ଲାଇନ ଉଦ୍ଘାଟନ କରିବେ। ଏହା ଖୋର୍ଦ୍ଧାରୋଡ-ବଲାଙ୍ଗୀର ୩୦୧କିମି ରେଳ ଲାଇନ୍ର ଏକ ଅଂଶ। ଏହାଦ୍ବାରା ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟ୍ୱାର୍କ ସହିତ ସଂଯୋଗ ହେବାକୁ ଯାଉଛି। ଭୁବନେଶ୍ବରରୁ ବୌଦ୍ଧକୁ ରେଳ ସଂଯୋଗ ହେବ। ଏହାସହ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୁଇଟି ନୂଆ ଟ୍ରେନ୍ ଭେଟି ଦେବେ। ସେଗୁଡ଼ିକ ହେଲା ବୌଦ୍ଧ-ନୂଆ ଭୁବନେଶ୍ୱର-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ଏବଂ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍।
