ଦେଶ-ବିଦେଶ

ଭାରତ ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍‌

Spread the love

ଇସଲାମାବାଦ, : ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର୍‌ ଏକ ଟିଭି ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଦୁଇଟି ପ୍ରମୁଖ ବାୟୁସେନା ଘାଟି ନୁର ଖାନ (ରାୱଲପିଣ୍ଡି) ଓ ଶୋରକୋଟ (ପଞ୍ଜାବ) ଉପରେ ଆକ୍ରମଣ ପରେ ଇସଲାମାବାଦ ନିଜେ ଭାରତ ଠାରୁ ଯୁଦ୍ଧବିରତି ମାଗିଥିଲା। ଏହି ବୟାନ ଏକ ଭାଇରାଲ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି, ଯାହା ପାକିସ୍ତାନର ପୂର୍ବବର୍ତୀ ଦାବିକୁ ଖଣ୍ଡନ କରୁଛି।ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଭାରତ ୭ ମେ ୨୦୨୫ରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅଭିଯାନରେ ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଥିଲା। ଏହା ସହିତ ଭାରତ ବ୍ରହ୍ମୋସ ମିସାଇଲ ବ୍ୟବହାର କରି ପାକିସ୍ତାନର ନୁର ଖାନ ଓ ଶୋରକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା।ଜିଓ ନ୍ୟୁଜ ସହ ଏକ ସାକ୍ଷାତକାରରେ ଡାର କହିଛନ୍ତି, ୭ ଓ ୮ ମେରେ ରାତି ୨:୩୦ରେ ଭାରତ ଆମ ନୁର ଖାନ ଓ ଶୋରକୋଟ ବାଯୁସେନା ଘାଟି ଉପରେ ମିସାଇଲ ଆକ୍ରମଣ କଲା। ଏହା ଆମ ପାଇଁ ଅପ୍ରତ୍ୟାଶିତ ଥିଲା। ସେ ଆହୁରି କହିଛନ୍ତି ଯେ, ଆକ୍ରମଣର ୪୫ ମିନିଟ ମଧ୍ୟରେ ସାଉଦି ରାଜକୁମାର ଫୈୟାଲ ବିନ ସାଲମାନ ତାଙ୍କୁ ଫୋନ କରି ପଚାରିଥିଲେ, ମୁଁ କ’ଣ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ କଥା ହୋଇ କହିବି କି ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ? ଡାର ଏହାକୁ ସୱୀକାର କରି କହିଥିଲେ, ହଁ, ଭାଇ, ଆପଣ କହିପାରିବେ। ଫୈୟାଲ ୨୫ ମିନିଟ ପରେ ପୁନର୍ବାର ଫୋନ କରି କହିଥିଲେ ଯେ ସେ ଜୟଶଙ୍କରଙ୍କୁ ଏହି ବାର୍ତ୍ତା ପହଞ୍ଚାଇ ଦେଇଛନ୍ତି।ଡାରଙ୍କ ବୟାନ ଅନୁଯାୟୀ, ଯୁଦ୍ଧବିରତି ପାଇଁ କେବଳ ସାଉଦି ଆରବ ନୁହେଁ, ଆମେରିକା, ଯୁକ୍ତରାଜ୍ୟ, କାତାର, ଇରାନ ଓ ଅନ୍ୟ କିଛି ଦେଶ ମଧ୍ୟ ମଧ୍ୟସ୍ଥତା କରିଥିଲେ। ତେବେ ଭାରତ ସ୍ପଷ୍ଟ କରିଛି ଯେ ଏହି ଯୁଦ୍ଧବିରତି ପାଇଁ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ନଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଥିଲେ ଯେ ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରେ ନାହିଁ କି ଭବିଷ୍ୟତରେ କରିବ।ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଦାବି କରିଥିଲେ ଯେ ପାକିସ୍ତାନ ଅପରେସନ ସିନ୍ଦୁର ସମୟରେ ଭାରତକୁ ପ୍ରବଳ ଜବାବ ଦେଇଥିଲା। କିନ୍ତୁ ଡାରଙ୍କ ଏହି ନୂଆ ବୟାନ ସେହି ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି। ସେ ସୱୀକାର କରିଛନ୍ତି ଯେ ଭାରତର ଆକ୍ରମଣ ପାକିସ୍ତାନ ପାଇଁ ଏକ ବଡ଼ ଧକ୍କା ଥିଲା, ଯାହା ପରେ ସେମାନେ ଯୁଦ୍ଧବିରତି ପାଇଁ ବାଧ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!