ଓଡ଼ିଆରେ ଶାସନ; କେତେ ବାସ୍ତବ କେତେ ସ୍ବପ୍ନ
ଯେଉଁ ଜାତି ନିଜର ମାତୃଭାଷାକୁ ଯେତେ ଅଧିକ ଗୁରୁତ୍ୱ ଦେଇଛି ସେ ଜାତି ସେତେ ଅଧିକ ସମୃଦ୍ଧ। ଏହା ଏକ ପ୍ରବନ୍ଧ, ଉପନ୍ୟାସ ବା ଗଳ୍ପର ପଂକ୍ତି ନୁହେଁ, ସାମ୍ପ୍ରତିକ ବିଶ୍ବ ଦରବାରରେ ଏକ ପ୍ରମାଣିତ ତଥ୍ୟ। ଜାପାନ, ଜର୍ମାନ, କୋରିଆ, ଚାଇନା, ଆମେରିକା, ରୁଷିଆ ପରି ଯେ କୌଣସି ରାଷ୍ଟ୍ରକୁ ଅନୁଧ୍ୟାନ କଲେ ଆମେ ଏହି ସିଦ୍ଧାନ୍ତରେ ସହଜରେ ଉପନୀତ ହୋଇପାରିବା । ମାତୃଭାଷାକୁ ସରକାରୀ, ବେସରକାରୀ ତଥା ଶିକ୍ଷା ବ୍ୟବସ୍ଥାରେ ବାଧ୍ୟତାମୂଳକ କଲେ ବ୍ୟକ୍ତିର ସମ୍ପୂର୍ଣ୍ଣ ସାମଗ୍ରିକ ବିକାଶ ସମ୍ଭବ ହେବା ସହିତ ଜାତୀୟ ଜୀବନରେ ସାମଗ୍ରିକ ଅଭିବୃଦ୍ଧି ସହଜ ହୋଇଥାଏ। ଏହି ସତ୍ୟକୁ ଅନୁଭବ କରି ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓଡ଼ିଆ ଭାଷା ଆଇନ-୧୯୫୪ ବିଧାନ ସଭାରେ ଆଣିଥିଲେ ଓ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ହେବା ପାଇଁ ଏହି ଆଇନ ଉଦ୍ଦିଷ୍ଟ ଥିଲା। ଏହା ସେତେବେଳେ ଅସହଜ ମନେହେଉଥିଲା କାରଣ ଶାସନ ବ୍ୟବସ୍ଥାରେ ଥିବା ଅଧିକାଂଶ ଉଚ୍ଚ ପଦାଧିକାରୀ ଓଡ଼ିଆ ଭାଷାରେ ଦକ୍ଷ ନ ଥିଲେ ବା ଓଡ଼ିଆକୁ ଗୁରୁତ୍ୱ ଦେଉ ନ ଥିଲେ। ଏମିତି ଏକ ସମୟରେ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ସେ ଓଡ଼ିଆ ଭାଷାରେ ଶାସନ କାର୍ଯ୍ୟ ପରିଚାଳନା କରିବାର ଦୁଃସାହସ କରିଥିଲେ। ଏହି ସମୟରେ ସେ ବିଧାନସଭାରେ ରାଜନୈତିକ ଚକ୍ରାନ୍ତର ଶିକାର ହୋଇ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ। ଏହି ଅନାସ୍ଥା ପ୍ରସ୍ତାବ ସମୟରେ ତାଙ୍କ ବିରୋଧରେ ଦୁଇଜଣ ଶାସକ ଦଳର ବିଧାୟକ ଭୋଟ ଦେବାରୁ ସେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରି ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ପ୍ରଦାନ କରି ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ତାଙ୍କର ଇସ୍ତଫା ପରେ ଓଡ଼ିଶାରେ ଓଡ଼ିଆ ଶାସନର ସ୍ବପ୍ନ ସ୍ବପ୍ନରେ ରହିଗଲା।ଓଡ଼ିଆ ଭାଷା ଆଇନ ୧୯୫୪ କେବଳ ଫାଇଲ ମଧ୍ୟରେ ସୀମିତ ହୋଇ ରହିଗଲା। ମାତୃଭାଷାର ବ୍ୟାପକ ବ୍ୟବହାର ଦ୍ବାରା ଓ ଲୋକମାନେ ସହଜ ଶାସନ ବ୍ୟବସ୍ଥା ପାଇବା ସହିତ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପ୍ରଗତି ସାଧିତ ହେବାର ସ୍ବପ୍ନ ଅପୂରଣୀୟ ରହିଗଲା। ତା’ପରେ ରାଜନୈତିକ ପଟ ପରିବର୍ତ୍ତନ ଅନେକବାର ହୋଇଛି କିନ୍ତୁ ଭାଷା ଆଇନକୁ କାର୍ଯ୍ୟକାରୀ କରିବାର ସଂକଳ୍ପିତ ପ୍ରୟାସ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଏକ ସମୟରେ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ପରିଚାଳିତ ସରକାର ସମସ୍ତ ଶାସନ କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ଟାଇପ ରାଇଟର କ୍ରୟ କରିଥିଲେ। ଭାଷା ଆଇନ ୧୯୫୪କୁ ଲାଗୁ କରାଇବା ପାଇଁ ମଧ୍ୟ ପ୍ରୟାସ କରିଥିଲେ। ସେ ମଧ୍ୟ ଏହି ପ୍ରୟାସରେ ସଫଳ ହୋଇ ନ ଥିଲେ କାରଣ ଅମଲାତନ୍ତ୍ରର ଇଚ୍ଛାଶକ୍ତିର ଅଭାବ ଓ ଅସହଯୋଗ ଭାବ। ଏମିତି ଏକ ଦୁର୍ବଳ ବ୍ୟବସ୍ଥା ମଧ୍ୟରେ ଓଡ଼ିଆ ଶାସନ କେବଳ ବୁଦ୍ଧିଜୀବୀଙ୍କ ନିୟମିତ ଆଲୋଚନା ଓ ଦାବି ଉପସ୍ଥାପନରେ ଉଜ୍ଜୀବିତ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବୁଦ୍ଧିଜୀବୀ ଓ ମିଳିତ ଭାବରେ ଓଡ଼ିଆ ଭାଷା ସୁରକ୍ଷା ଅଭିଯାନ ଆରମ୍ଭ କରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ଭାଷା ଆଇନ ୧୯୫୪ରେ କିଛି ପରିବର୍ତ୍ତନ କରି ଲାଗୁ କରିବା ପାଇଁ ୨୦୧୬ ମେ ୨୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ବର୍ଷ ଅଗଷ୍ଟ ୧୨ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଭାଷା ଆଇନ ଲାଗୁ କରାଇବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଗଲା। ଅକ୍ଟୋବର ୨୨ରେ ଇଂଲିଶ ସହିତ ଓଡ଼ିଆକୁ ବାଧ୍ୟତାମୂଳକ ଭାବେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଜାରି କରାଗଲା। ଏହା ସମଗ୍ର ଓଡ଼ିଶାରେ ଏକ ସମ୍ଭାବନାର ସ୍ବର ସୃଷ୍ଟି କରିଥିଲା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଅସମ୍ଭବ ପ୍ରକାର ଶିଥିଳତା ପରିଲକ୍ଷିତ ହୋଇଥିଲା। ଏହି ଶିଥିଳତାକୁ ଦୂର କରିବା ପାଇଁ ପୁନଃ ୨୦୧୮ ଜୁନ୍ ୩୦ରେ ଓଡ଼ିଆ ଭାଷାକୁ ବ୍ୟବହାର କରୁଥିବା କର୍ମଚାରୀ ଓ ଅନୁଷ୍ଠାନକୁ ପୁରସ୍କାର ଓ ଅବହେଳା କରୁଥିବା କର୍ମଚାରୀଙ୍କୁ ଦଣ୍ଡ ବିଧାନ କରିବାର ବ୍ୟବସ୍ଥା କରାଗଲା। ଆଶା କରାଯାଉଥିଲା ଏଥର ଓଡ଼ିଆ ଭାଷା ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ। କିନ୍ତୁ ନିୟମ ତିଆରି କରିବା ସରକାରଙ୍କର କର୍ତ୍ତବ୍ୟ ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥାର ପ୍ରବର୍ତ୍ତନ କରିବା ତାଙ୍କର ଦାୟିତ୍ୱ ବୋଲି ଭୁଲିଯାଇଛନ୍ତି। ଏଠାରେ ନିୟମ ତିଆରି କରିବା ଓ ତାହାକୁ କାର୍ଯ୍ୟକାରୀ କରିବା ମଧ୍ୟରେ ଯେଉଁ ବିରାଟ ବ୍ୟବଧାନ ରହିଛି ତା’ ପାଇଁ ସରକାରୀ ନଥିପତ୍ରରେ ହେଉଥିବା ଆଇନର କାର୍ଯ୍ୟକାରିତା ହାର ଖୁବ୍ କମ୍।୨୦୨୪ରେ ସରକାର ପରିବର୍ତ୍ତନ ହୋଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ନୂତନ ସରକାରକୁ ଲୋକେ ନିର୍ବାଚିତ କରିଛନ୍ତି। ଏହା ମଧ୍ୟରେ ଏକ ବର୍ଷ ଅତିକ୍ରାନ୍ତ। ତଥାପି ଓଡ଼ିଆ ଭାଷାରେ ଶାସନ ଏବେ ବି ସ୍ବପ୍ନ ହୋଇରହିଛି।ଏମିତି କାହିଁକି ହେଉଛି? କାହିଁକି ପ୍ରଶାସନିକ କଳ ଓଡ଼ିଆକୁ ତା’ର ମାଧ୍ୟମ ଭାବରେ ଗ୍ରହଣ କରି ପାରୁନାହିଁ? ଏହା କ’ଣ କେବଳ ମନୋବୃତ୍ତିର ଅଭାବ ନା ଇଂଲିଶ ଭାଷା ପ୍ରତି ଅତ୍ୟଧିକ ଦୁର୍ବଳତା? ଉପରଠାଉରିଆ ଭାବରେ ଉତ୍ତର ଖୋଜିଲେ ଏହି ଦୁଇଟି କାରଣ ମନେହେଉଥିଲେ ମଧ୍ୟ ବାସ୍ତବରେ ଏହି ଦୁଇଟି ମଧ୍ୟରୁ କେଉଁଟି ବି ମୁଖ୍ୟ କାରଣ ନୁହେଁ। ଓଡ଼ିଶାରେ ଓଡ଼ିଆରେ ଶାସନ ନ ହେବାର ମୁଖ୍ୟ କାରଣ ହେଉଛି ସରକାରୀ ବ୍ୟବସ୍ଥାରେ ଶୁଦ୍ଧ ଲେଖିବା ବା କହିବା ବ୍ୟବସ୍ଥାର ଅଭାବ। ୧୯୫୪ଠାରୁ ଆଜି ପର୍ଯ୍ୟନ୍ତ ଆମେ କେବଳ ସମସ୍ୟା କଥା କହିଆସିଛେ । ସେହି ସମସ୍ୟାର ଉଚିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାରେ ପଛେଇ ଯାଇଛେ। ଯଦ୍ଦ୍ବାରା ଓଡ଼ିଆ ଭାଷାର ଶାସନ ଆମ ପାଖରେ ଉପଲବ୍ଧ ହୋଇ ପାରିନାହିଁ। ସାମ୍ପ୍ରତିକ ସମୟରେ କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ ଚିଠିପତ୍ର ହାତରେ ଲେଖା ଯାଉନାହଁି। ସମସ୍ତ ଫାଇଲ କମ୍ପ୍ୟୁଟରରେ ପ୍ରସ୍ତୁତ କରାଯାଉଛି। ଅର୍ଥାତ୍ ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ହେଲେ ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ଅତ୍ୟନ୍ତ ଜରୁରୀ।ଗୋଟିଏ ଭାଷାକୁ ଠିକ୍ କମ୍ପ୍ୟୁଟରୀକରଣ (ଡିଜିଟାଲାଇଜେଶନ) କରିବା ପାଇଁ ଅନେକ ପ୍ରାରମ୍ଭିକ ବ୍ୟବସ୍ଥା ଦେଇ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଏହି କ୍ଷେତ୍ରରେ ଓଡ଼ିଆ ଭାଷା ଅନେକ ପଛରେ ରହିଯାଇଛି। ୧୯୧୪ରୁ ଏହି କ୍ଷେତ୍ରରେ ଦିଲ୍ଲୀ ସ୍ଥିତ ଏକ ଓଡ଼ିଆ ସାଂସ୍କୃତିକ ଅନୁଷ୍ଠାନ ନିୟମିତ ଭାବରେ ବିଶେଷଜ୍ଞଙ୍କୁ ଏକତ୍ର କରି ଆଲୋଚନା କରିବା ସହିତ ଏହାର ପ୍ରସ୍ତାବମାନ ଓଡ଼ିଆରେ ସରକାରଙ୍କୁ ପ୍ରଦାନ କରିଆସୁଛି। ଏହାର ପ୍ରଭାବ ଆଜି ପର୍ଯ୍ୟନ୍ତ ସାମାନ୍ୟ ଭାବରେ ପରିଲକ୍ଷିତ ହୋଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ଏଥି ପାଇଁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଏକ ମିଳିତ ଓ ସମର୍ପିତ ପ୍ରୟାସ ହେବା ଅତ୍ୟନ୍ତ ଜରୁରୀ। ଏହି ପ୍ରୟାସ ଦ୍ବାରା କେବଳ ଓଡ଼ିଆରେ ଶାସନ ସହଜ ତଥା ଗ୍ରହଣୀୟ ହେବନାହିଁ ବରଂ ସାଧାରଣ ଜନତାଙ୍କ ଦ୍ବାରା ବ୍ୟବହୃତ ହେଉଥିବା ଲକ୍ଷ ଲକ୍ଷ ମୋବାଇଲ, ଲାପ୍ଟପ୍ ଓ କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହୋଇପାରିବ। ମାତୃଭାଷାର ବ୍ୟବହାର ଯେତେ ଅଧିକ ହେବ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ପ୍ରଗତି ସେତେ ଅଧିକ ପରିଲକ୍ଷିତ ହେବ।
