ହାତୀ ପଲଙ୍କ ପ୍ରାଦୁର୍ଭାବ ସାଙ୍ଗକୁ ବାରହାଙ୍କ ଉତ୍ପାତ
ଢେଙ୍କାନାଳ – (ଯଶୋବନ୍ତ ପରିଡା): ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର କଙ୍କଡ଼ାହାଡ଼,ଓଡ଼ାପଡ଼ା,ହିନ୍ଦୋଳ,ଗନ୍ଦିଆ,ସଦର ଓ ବନାଞ୍ଚଳର ଗ୍ରାମେ ଗ୍ରାମେ ବଣୁଆ ହାତୀ ପଲଙ୍କ ପ୍ରାଦୃଭାବ ସାଙ୍ଗକୁ ବାରିହା ପଲଙ୍କ ଉତ୍ପାତ ବଢ଼ି ଥିବାରୁ ଚାଷୀ କୂଳ ପ୍ରମାଦ ଗଣୁଛନ୍ତି। ରାତି ଘରେ ଶୋଇବା ପରିବର୍ତ୍ତେ ଚାଷୀମାନେ ଫସଲ ବଞ୍ଚାଇବା ଆଶାରେ ହିଡ ମୁଣ୍ଡରେ ଶୀତ କାକରରେ କୋଳାହଳ କରି ନିଜ ଜମିଙ୍କୁ ଜଗି ରହୁଛନ୍ତି। ବଣୁଆ ହାତୀ ପଲ ଓ ବାରହା ସେମାନଙ୍କ ନିଦ ହଜାଇ ଦେଇଛି। କ୍ଷେତରୁ ଫସଲ ଆମଦାନୀ ଆରମ୍ଭରୁ ଏହିଭଳି ଉତ୍ପାତ ଲାଗି ରହୁଥିବାବେଳେ ଚାଷୀଟିଏ କ୍ଷୟକ୍ଷତି ଭରଣା ପାଇଁ ବନବିଭାଗ କାର୍ଯ୍ୟାଳୟରେ ଦରଖାସ୍ତ କରିକରି ନୟାନ୍ତ ହୋଇ ଯାଉଥିଲେ ହେଁ ସରକାରଙ୍କ ହାତ ଟେକା ରାଶି ଭରଣା ସମୁଦ୍ରକୁ ସଂକ୍ଷେ ଭଳି। ଚାଷୀଟିଏ ଖରା,ବର୍ଷା ଓ ଶୀତ ସହି ବହୁ ଘାତପ୍ରତିଘାତ ମଧ୍ୟରେ ସମାଜକୁ ଖାଦ୍ୟ ଯୋଗାଇ ଚାଲିଥିବା ବେଳେ ତାର ସୁବିଧା ଅସୁବିଧା ଓ ଲାଭକ୍ଷତି ପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ। ସରକାରୀ ପୋତ୍ସାହାନ ଯଥା ଆର୍ଥିକ ସହାୟତା ରାଶି ଅତି ଋଣ ଆକାରରେ ଚାଷୀ ବ୍ୟାଙ୍କରୁ ପ୍ରାପ୍ତ କରୁଥିବା ବେଳେ ନିଅଣ୍ଟିଆ ସାର ଓ ଔଷଧ ଯୋଗାଣ ବାଆକୁ ବତା ଭଳି କେଉଁଠି କେଉଁଠି ବନବିଭାଗ ପକ୍ଷରୁ ସୌର ତାର ବାଡ ଓ ଆଲୋକି କରଣର ବ୍ୟବସ୍ଥା କରା ଯାଇ ଥିବା ବେଳେ ଅଧିକାଂଶ ଗ୍ରାମ ମାନଙ୍କରେ ଚାଷୀ ଏଥିରୁ ବଞ୍ଚିତ ରହି ଥିବା ଅଭିଯୋଗ ହେଉଛି। ବାରହା ଭଳି ହିଂସ୍ର ବନ୍ୟଜନ୍ତୁକୁ କାବୁ କରିବାକୁ ଚାଷୀ ସନ୍ଧ୍ୟା ପର ଠାରୁ ଚାଷ ଜମିରେ କ୍ରସରତ କରୁ ଥିବାବେଳେ ଏଥିରେ ଅସଫଳ ହେଉଛି। ଏମାନଙ୍କ ଦ୍ୱାରା ବହୁ ଫସଲ ଉଜୁଡି ଯାଇ ଥିଲେ ହେଁ କ୍ଷୟ କ୍ଷତି ଭରଣା କରିବାକୁ ସତେ ଯେମିତି ସରକାର କୁଣ୍ଠାବଦ୍ଧ କରିଛନ୍ତି। ଦିନକୁ ଦିନ ବନ୍ୟ ଜନ୍ତୁଙ୍କ ଆତଙ୍କ ଯୋଗୁଁ ଫସଲ ହାନି ଘଟୁ ଥିବାରୁ ଅଧିକାଂଶ ସ୍ଥାନରେ ଚାଷୀ କୂଳ ଧାନ ଚାଷ ଭଳି ପ୍ରଧାନ ଚାଷ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ଏହା ଦ୍ଵାରା ବହୁ ଚାଷ ଜମି ପଡ଼ିଆ ପଡିଆ ପଡ଼ିଲାଣି ସରକାରଙ୍କ ପକ୍ଷରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧି ଜୀବି ମହଲରୁ ଦାବୀ ହେଉଛି।
