ମୁଖ୍ୟ ଖବର

ହାଇଦ୍ରାବାଦରୁ ଆସିଲା ୩୮,୭୦୦ କୋଟି: ୭ ଏମ୍‌ଓୟୁ ସ୍ବାକ୍ଷରିତ, ମେଗା ରୋଡ୍‌ ସୋ ଆଜି

Spread the love

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାଇଦ୍ରାବାଦ ଗସ୍ତର ପ୍ରଥମ ଦିନରେ ରାଜ୍ୟକୁ ୩୮,୭୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି, ଯାହାକି ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମେଗା ରୋଡ୍‌ ସୋ ‘ଓଡ଼ିଶା ନିବେଶକ ସମ୍ମିଳନୀ’ରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ଆଜି ହାଇଦ୍ରାବାଦ ଯାଇଛନ୍ତି। ସେଠ‌ାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗସ୍ତର ପ୍ରଥମ ଦିନରେ ସେ ବିଭିନ୍ନ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ। ଆଜି ବ୍ୟବସାୟିକ ପ୍ରତିଷ୍ଠାନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୧୫ଟି ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ଆଲୋଚନାରୁ ୧୯,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ତାହା କାର୍ଯ୍ୟକାରୀ ହେଲେ ୭୫୦୦ କର୍ମନିଯୁକ୍ତି ସୃଷ୍ଟି ହେବ। ଏଥି ସହିତ ୧୯,୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୭ଟି ବୁଝାମଣାପତ୍ର (ଏମ୍ଓୟୁ) ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ସେହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୧୨,୭୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିରିଡ଼ି ସାଇ ଇଲେକ୍ଟ୍ରିକାଲ୍‌ସର ସିଏମ୍‌ଡି ଏନ୍ ବିଶ୍ବେଶ୍ବରା ରେଡ୍ଡିଙ୍କ ସହ ଇଲେକ୍ଟ୍ରିକାଲ୍ ଉପକରଣ ଉତ୍ପାଦନକୁ ନେଇ ଓଡ଼ିଶାରେ ରହିଥିବା ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି, ଆଜିଲିଟି ଗ୍ରୁପ୍‌ର ଏମ୍‌ଡି ସୁରେଶ କୁମାର ଭେଙ୍କଟଙ୍କ ସହ ସେ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳ ସମ୍ପର୍କରେ କଥା ହୋଇଥିଲେ। ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ। ରେୟାର ଆର୍ଥ ପ୍ରୋସେସିଂ ପାଇଁ ଇଣ୍ଡୋରାମା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଜିନ୍ଦଲ ପଲି ଫିଲ୍ମସ, ପ୍ରତିରକ୍ଷା ଉତ୍ପାଦନ ପାଇଁ ଏବିଆଇ ସୋଆଟେକ୍ ପ୍ରାଇଭେଟ୍ ଲିମିଟେଡ୍‌, ଧାତବ ଓ ଆନୁଷଙ୍ଗିକ ଶିଳ୍ପ ପାଇଁ ମାରୁତି ସହ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ନୀତିରେ ସ୍ପଷ୍ଟତା, ପ୍ରତିକ୍ରିୟାଶୀଳ ଶାସନ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ବ୍ୟବସ୍ଥା ଜରିଆରେ ଆମେ ଦୀର୍ଘକାଳୀନ ସହଯୋଗ ଉପରେ ଗୁରୁତ୍ବ ଦେଉଛୁ, ଯାହା ନବସୃଜନ, ନିଯୁକ୍ତି ସୃଷ୍ଟି ଓ ନିରନ୍ତର ଅଭିବୃଦ୍ଧିରେ ସହାୟକ ହେବ। ଆଜି ଆଲୋଚନା ବେଳେ ଫାର୍ମାସ୍ୟୁଟିକାଲ୍, ମେଡିକାଲ୍ ଉପକରଣ, ସବୁଜ ଶକ୍ତି, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଇଞ୍ଜିନିୟରିଂ ଉତ୍ପାଦ, ଅଟୋମୋବାଇଲ୍‌ ଉପକରଣ ଓ ପୁଞ୍ଜି ଉପକରଣ ଉତ୍ପାଦନ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହି ଅବସରରେ ଫାର୍ମାସ୍ୟୁଟିକାଲ୍ ଶିଳ୍ପର ପ୍ରତିନିଧିମାନଙ୍କ ସହ ଏକ ରାଉଣ୍ଡ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା।ଆସନ୍ତକାଲିର ମେଗା ରୋଡ୍‌ ସୋ’ରେ ମଧ୍ୟ ବହୁ ସଂଖ୍ୟାରେ ବୁଝାମଣାପତ୍ର ସ୍ବାକ୍ଷର କରାଯିବ। ରାଜ୍ୟରେ ରହିଥିବା ନିବେଶ ସମ୍ଭାବନା ଓ ଅଗ୍ରାଧିକାର କ୍ଷେତ୍ରର ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ। ଓଡ଼ିଶାରେ ନିବେଶ କରିବା ଲାଗି ସେମାନଙ୍କୁ ଆମନ୍ତ୍ରଣ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସରକାରୀ ଅଧିକାରୀ, ବିଭିନ୍ନ ଶିଳ୍ପ ସଂଘ ଓ ଶିଳ୍ପାନୁଷ୍ଠାନର ପ୍ରତିନିଧି ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *

error: Content is protected !!