ରାଜ୍ୟ

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

Spread the love

ଭବାନୀପାଟଣା,:କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେହିପରି ଜିଲାର ୧୪୦ ମଣ୍ଡିରେ ୭ ଲକ୍ଷରୁ ଊଦ୍ଧର୍‌ବ କୁଇଣ୍ଟାଲ ଧାନ ପଡ଼ିରହିଥିବା ବେଳେ ୬୪ ଲକ୍ଷ ୫୮ ହଜାର କୁଇଣ୍ଟାଲ ଟାର୍ଗେଟ ପରେ ବି ଅଚଳାବସ୍ଥା ଦୂର ହେଉନି। ୬୪ଲକ୍ଷ କୁଇଣ୍ଟାଲରୁ ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୯ ହଜାର ୨୪୬ ଚାଷୀଙ୍କ ୫୬ ଲକ୍ଷ ୮୧ ହଜାର ୬୧୩ କୁଇଣ୍ଟାଲ ଧାନ ମଣ୍ଡିରୁ ଉଠାଯାଇଛି। ସେହିପରି ପ୍ରାୟ ୭ ଲକ୍ଷରୁଅଧିକ କୁଇଣ୍ଟାଲ ଧାନ ରଖି ଚାଷୀ ଅପେକ୍ଷା କରିଛନ୍ତି। ଜିଲାରେ ସମୁଦାୟ ୨୩୦ ମଣ୍ଡିରୁ ୯୦ ମଣ୍ଡିରେ ଧାନ କିଣା ଶେଷ ହୋଇଥିବାବେଳେ ଅବଶିଷ୍ଟ ୧୪୦ ମଣ୍ଡିରେ ଧାନ କିଣା ଚାଲିଛି। ଜୁନାଗଡ଼ ବ୍ଲକର ବଣ୍ଡୋଗୁଡା ମଣ୍ଡିରେ ୬ ହଜାର ଓ କର୍ଲାମୁଣ୍ଡା ବ୍ଲକର ଜୋରାଡୋବ୍ରା ମଣ୍ଡିରେ ପ୍ରାୟ ୪ ହଜାର କୁଇଣ୍ଟାଲ ଧାନ ପଡିଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁସାରେ, ଜିଲାରେ ଏପର୍ଯ୍ୟନ୍ତ ୬୪ ଲକ୍ଷ ୫୮ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି। ସେଥିରୁ ୨୩୦ ମଣ୍ଡିରେ ୫୬ ଲକ୍ଷ ୮୧ ହଜାର ୬୧୩ କୁଇଣ୍ଟାଲ ଧାନ ଉଠି ସାରିଛି। ସରକାରୀ ଟାର୍ଗେଟ ଅନୁସାରେ ଆହୁରି ୭ ଲକ୍ଷ ୭୬ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ରହିଥିବାବେଳେ ଯୋଗାଣ ବିଭାଗ ପ୍ରାୟ ୭ ଲକ୍ଷ କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଥିବା ପ୍ରକାଶ କରିଛି। ରବି ଚାଷ ପାଇଁ ଇନ୍ଦ୍ରାବତୀ କେନାଲରେ ପାଣି ଛାଡିବା ପରେ ଚାଷୀମାନେ ପହ୍ଲାରୁଆ ଆରମ୍ଭ କରିଥିବା ବେଳେ କିଛି ଚାଷୀ ରୁଆ ମଧ୍ୟ ଆରମ୍ଭ କଲେଣି। ହେଲେ ଏଯାଏ ମଣ୍ଡିରୁ ଖରିଫ ଧାନ ଉଠୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଉଠିପାରୁ ନ ଥିବା ଧାନକୁ ଦଲାଲମାନେ କୁଇଣ୍ଟାଲ ପିଛା ୧୭ଶହ ଟଙ୍କାରେ କିଣି ମିଲ ପଏଣ୍ଟକୁ ପହଞ୍ଚାଉଥିବା ଅଭିଯୋଗ ହୋଇଆସୁଛି। ସେମାନେ କମ ମୂଲ୍ୟରେ ଧାନ କିଣି ଚାଷୀଙ୍କ ଟୋକନରେ ବିକ୍ରି କରି ବୋନସ ଚଳୁ କରୁଥିବା ବେଳେ ଚାଷୀମାନେ ଜଳକା ହୋଇ ରହିଛନ୍ତି। ଏ ନେଇ ରାଜ୍ୟ ସରକାର ହସ୍ତକ୍ଷେପ କରି ମଣ୍ଡିରୁ ଧାନ ଉଠାଇବା ପାଇଁ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହୋଇଛି। ଜୁନାଗଡ଼ ବ୍ଲକର ବଣ୍ଡୋଗୁଡା ମଣ୍ଡିରେ ଧାନ ଉଠୁ ନ ଥିବା ଖବର ପାଇ ସ୍ଥାନୀୟ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ସ୍ଥାନୀୟ ଚାଷୀଙ୍କ ସମସ୍ୟା ଶୁଣିବା ସହ ଶୀଘ୍ର ଏହି ମଣ୍ଡିରୁ ଧାନ ଉଠାଣ କରିବା ପାଇଁ ଜିଲାପାଳ ଓ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଫୋନରେ କହିଥିଲେ। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କୁ ପଚାରିବାରୁ ମଣ୍ଡିରେ କେତେ ଧାନ ପଡ଼ିରହିଛି ରିପୋର୍ଟ ସଂଗ୍ରହ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ। ସପ୍ତାହେ ମଧ୍ୟରେ ମଣ୍ଡିରୁ ସମସ୍ତ ଧାନ ଉଠିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!