ନୂଆଁଖାଇ ପାଇଁ ଉତ୍ସବମୁଖର ସମ୍ବଲପୁର
କନକବ୍ୟୁରୋ : ନୂଆଁଖାଇ ପାଇଁ ଉତ୍ସବମୁଖର ସମ୍ବଲପୁର । ମିଠା, ପିଠା ବାସ୍ନାରେ ମହକୁଛି ସାରା ସହର । ଚାରିଆଡ଼େ ଭକ୍ତିମୟ ପରିବେଶ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ପାରମ୍ପରିକ ରୀତିନୀତି ଅନୁସାରେ ଲାଗି ହୋଇଛି ନବାନ୍ନ। ମୁଖ୍ୟ ପୂଜକଙ୍କ ସମେତ ଅନ୍ୟ ପୂଜକମାନଙ୍କ ଘରୁ ଆସିଥିବା ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ମାଆଙ୍କୁ ଅର୍ପଣ କରାଯାଇଛି । ନବାନ୍ନ ଲାଗି ସମୟରେ ସମଲେଇ ମନ୍ଦିର ପରିସରରେ ଭକ୍ତିମୟ ପରିବେଶରେ ସୃଷ୍ଟି ହୋଇଥିଲା । ଶଙ୍ଖ ଧ୍ୱନିରେ ସମଗ୍ର ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ପାରମ୍ପରିକ ବିଧି ଅନୁଯାୟୀ ପ୍ରଥମେ ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି କରାଯାଇଥିଲା। ଏହାପରେ ମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି କରାଯାଇଛି। ନୂଆ ଧାନର ପ୍ରଥମ ଅନ୍ନ ଦେବୀଙ୍କୁ ସମର୍ପଣ କରିବାର ଏହି ପରମ୍ପରା ସମ୍ବଲପୁରର ଧାର୍ମିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା।ତାପରେ ସକାଳ ୯ଟା ୪୦ରୁ ୯ଟା ୫୪ ମିନିଟ୍ ମଧ୍ୟରେ ମା’ଙ୍କ ପାଖରେ ନବାନ୍ନ ଲାଗି ହୋଇଛି। ଏହାପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଘରେଘରେ ନୂଆଁଖାଇ ପାଳନ କରାଯାଇଛି। ନୂଆଁଖାଇ ସାରିଲା ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆମାରି ଆଶୀର୍ବାଦ ନେବାର ପରମ୍ପରା ରହିଛି। ଏହି ଅବସରରେ ନୂଆ ଚାଉଳ ସହିତ ଖିରି, ପିଠା, ସାରୁଶାଗ ଲାଗି ହୋଇଛି। ଆଜି ସମ୍ବଲପୁରରେ ନୂଆଁଖାଇ ପାଳିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ବିଜେପି ସଭାପତି ରାମଚନ୍ଦ୍ର ମେହେରଙ୍କ ଘରେ ନୂଆଖାଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ନୂଆଖାଇବା ସହ ରାଜ୍ୟବାସୀଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା। ଘରେ ଘରେ ଜମୁଛି ପିଠାପଣାର ଆସର।
