SAMAJAINA

୧୦ବର୍ଷ ବିତିଲା ଇଟା ଖଣ୍ଡେ ପଡ଼ିପାରିଲାନି

Spread the love

ଭୁବନେଶ୍ୱର : ୨୦୧୬ରୁ ୨୦୨୬। ୧୦ବର୍ଷ ବିତିଲା। ହେଲେ ଆରମ୍ଭ ହୋଇପାରିଲାନି ଭୁବନେଶ୍ୱର ଟାଉନ ସେଣ୍ଟର ପ୍ରକଳ୍ପ। ବାରମ୍ବାର ଡିଜାଇନ୍‌ରେ ପରିବର୍ତ୍ତନ ହେଉ ଅବା ଇଚ୍ଛାଶକ୍ତିର ଅଭାବ। ଟାଉନ ସେଣ୍ଟର ସ୍ବପ୍ନ ସହରବାସୀଙ୍କ ପାଇଁ ଏବେ କେବଳ ସ୍ୱପ୍ନ ହୋଇ ରହିଯାଇଛି। ସେପଟେ ମନ୍ତ୍ରୀ କହିଛନ୍ତି ଡ୍ରଇଂ ଡିଜାଇନିଂ ସରିଛି, ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ମାଷ୍ଟର କ୍ୟାଣ୍ଟିନରେ ହେବ ସୁଉଚ୍ଚ ତଥା ବହୁତଳ ବିଶିଷ୍ଟ କୋଠା। ଯେଉଁଠି ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା ସାଙ୍ଗକୁ ବହୁମୁଖୀ ବାଣିଜ୍ୟିକ କେନ୍ଦ୍ର ଖୋଲିବାକୁ ଯୋଜନା ଥିଲା। ୨୦୧୬ ମସିହାରେ ଏଭଳି କିଛି ସ୍ବପ୍ନ ଦେଖାଇ ଭୁବନେଶ୍ୱର ଟାଉନ ସେଣ୍ଟରର ପରିକଳ୍ପନା କରାଯାଇଥିଲା। ହେଲେ ୧୦ବର୍ଷ ଭିତରେ ଇଟା ଖଣ୍ଡେ ପଡ଼ି ପାରିଲାନି। ବାଣୀବିହାର ଠାରୁ ଶିଶୁଭବନ ଛକ ଯାଏଁ ରାସ୍ତା ସମ୍ପ୍ରସାରଣ ବେଳେ ଉଚ୍ଛେଦ ଦୋକାନୀଙ୍କୁ ମଧ୍ୟ ଏଠାରେ ଥଇଥାନ ପାଇଁ ଯୋଜନା ରହିଥିଲା। ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଜା ପ୍ରମୁଖ ଯୋଜନା ଥିଲା। ଯାହାକି କେବଳ କାଗଜ କଲମରେ ସୀମିତ ରହିଛି। ପ୍ରକଳ୍ପ ସ୍ଥାନ ସ୍ମାର୍ଟ ଜନପଥକୁ ଲାଗିଥିବାରୁ ବାଣିଜ୍ୟିକ ଦୃଷ୍ଟିକୋଣରୁ ଏହାକୁ ଏକ ଲାଭଜନକ ପ୍ରକଳ୍ପ ଭାବେ ବିକଶିତ କରିବାକୁ ବିଡିଏ ଲକ୍ଷ୍ୟ ରଖିଥିଲା। ୧୨ଏକର ଜାଗାରେ ହେବାକୁ ଥିବା ଏହି ପ୍ରକଳ୍ପ କାମ ୫ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଥିଲା। କିନ୍ତୁ ରେଳବିଭାଗ ଉନ୍ନୟନ କାମ ପାଇଁ ବାରମ୍ବାର ଡିଜାଇନରେ ପରିବର୍ତ୍ତନ ହେଲା। ଫଳରେ ଚୂଡ଼ାନ୍ତ ପ୍ଲାନିଂ ବିନା କାମ ଆରମ୍ଭ ହୋଇ ପାରିଲାନି। ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଏବେ ଜାଗାର ଡ୍ରଇଂ ଡିଜାଇନିଂ ସରିଛି। କେଉଁଠି ପାର୍କିଂ ରହିବ, କେଉଁଠି ହେବ ହୋଟେଲ, କେଉଁଠି ଅଫିସ ରହିବ ତାକୁ ନଜରରେ ରଖି ଯୋଜନା ପ୍ରସ୍ତୁତ ହୋଇଛି। ରେଳବାଇର ସୌନ୍ଦର୍ଯ୍ୟୀକରଣକୁ ନଜରରେ ରଖି ଖୁବଶୀଘ୍ର କାମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ବସ୍‌ ଓ କାର୍‌ ପାର୍କିଂ ସହ ଫୁଡ କୋର୍ଟ ହେବ। ୩ଏକର ଜାଗାରେ ଏକ ୧୯ମହଲା ବିଶିଷ୍ଟ ପ୍ରାସାଦ ନିର୍ମାଣ ପାଇଁ ଯୋଜନା ହୋଇଥିବା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *

error: Content is protected !!