ଅସ୍ତ୍ରବିରତିକୁ ନେଇ ମୁହଁ ଖୋଲିଲା ଇସ୍ରାଏଲ: ଟ୍ରମ୍ପଙ୍କୁ ଥ୍ୟାଙ୍କ୍ ୟୁ, ଇରାନକୁ ଚେତାବନୀ
ଜେରୁଜେଲମ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଇରାନ-ଇସ୍ରାଏଲ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଇସ୍ରାଏଲ ସରକାର। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯଦି ଇରାନ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରେ, ତେବେ ଇସ୍ରାଏଲ କଡ଼ା ଜବାବ ଦେବ।ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିସ୍ତୃତ ବିବୃତ୍ତିରେ କୁହାଯାଇଛି, ଇରାନର ପରମାଣୁ ଏବଂ ବାଲିଷ୍ଟିକ ବିପଦକୁ ସମାପ୍ତ କରିବା ଇସ୍ରାଏଲର ମୁଖ୍ୟ ଉଦ୍ଦେଶ୍ୟ ସଫଳତାର ସହ ହାସଲ ହୋଇଛି। ଇସ୍ରାଏଲ ‘ରାଇଜିଂ ଲାୟନ’ ଅପରେଶନର ସମସ୍ତ ଲକ୍ଷ୍ୟ ହାସଲ କରିଛି, ଯାହା ଏହାକୁ ବର୍ତ୍ତମାନ ଅସ୍ତ୍ରବିରତି ଉପରେ ସହମତ ହେବାର ଆଧାର ଦେଇଛି।ବିବୃତ୍ତି ଅନୁଯାୟୀ, ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରତିରକ୍ଷା ମନ୍ତ୍ରୀ, ଇସ୍ରାଏଲୀ ସେନା (IDF) ମୁଖ୍ୟ ଏବଂ ମୋସାଦ ମୁଖ୍ୟଙ୍କ ସହିତ ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ କରିଥିଲେ। ଏହି ବୈଠକରେ, ଏହା ନିଷ୍କର୍ଷିତ ହୋଇଥିଲା ଯେ, ଇରାନର ପରମାଣୁ ଏବଂ ବାଲିଷ୍ଟିକ ମିଶାଇଲ୍ କାର୍ଯ୍ୟକ୍ରମ ରୂପରେ ଦ୍ୱୈତ ବିପଦ ଦୂର କରାଯାଇଛି।ବିବୃତ୍ତିରେ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ତେହେରାନର କେନ୍ଦ୍ରରେ ଅନେକ ସରକାରୀ ଘାଟି ଉପରେ ଆକ୍ରମଣ ହୋଇଛି, ଯେଉଁଥିରେ ଇରାନର ଅର୍ଦ୍ଧସାମରିକ ସଂଗଠନ ‘ବାସିଜ’ର ଶହ ଶହ ସଦସ୍ୟ ନିହତ ହୋଇଛନ୍ତି ଏବଂ ଜଣେ ବରିଷ୍ଠ ପରମାଣୁ ବୈଜ୍ଞାନିକ ମଧ୍ୟ ନିହତ ହୋଇଛନ୍ତି।ଏହି ଅପରେଶନରେ ଇସ୍ରାଏଲ ଆମେରିକା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଛି। ବିବୃତ୍ତିରେ କୁହାଯାଇଛି ଯେ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ପୂର୍ଣ୍ଣ ସମନ୍ବୟ ପରେ ଏହି ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରାଯାଇଛି।ଇସ୍ରାଏଲ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ପକ୍ଷ ଦ୍ୱାରା ଯୁଦ୍ଧବିରତି ଉଲ୍ଲଂଘନ କରାଯାଏ, ତେବେ ଇସ୍ରାଏଲ ଜୋରଦାର ଏବଂ ନିର୍ଣ୍ଣାୟକ ଭାବରେ ଜବାବ ଦେବ।
