ଅନୁଗୋଳ: ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଗୁଳିମାଡ଼ରେ ଅନୁଗୋଳ ଜିଲ୍ଲା ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ(୩୭)ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହତ୍ୟାରେ ବ୍ୟବହୃତ ବନ୍ଧୁକ ଛାଡ଼ି ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି। ଘଟଣାର ବିବରଣୀରୁ ଜଣାଯାଇଛି, ଆଜି (ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଅନୁଗୋଳ ବ୍ଲକ୍ ବନ୍ତଳା ଗାଁ ନିମ୍ବଛକ ନିକଟରେ ସୁଶାନ୍ତ ପ୍ରଧାନ ଓରଫ କାଳିଆଙ୍କ ସହ ବନ୍ତଳା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରକାଶ ସାହୁଙ୍କ ସହ କୌଣସି କାରଣକୁ ନେଇ ବିବାଦ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରକାଶ କାଳିଆଙ୍କୁ ଲକ୍ଷ୍ୟ କରି ନିଜର ଲାଇସେନ୍ସ ବନ୍ଧୁକରୁ ଗୁଳି ଫୁଟାଇଥିଲେ। ଗୁଳିଟି କାଳିଆଙ୍କ ଛାତିରେ ବାଜିଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଳିଆଙ୍କୁ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଗୁଳିକାଣ୍ଡ ପରେ ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ବନ୍ଧୁକକୁ ଫିଙ୍ଗି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍ଭିନ କରୁଛନ୍ତି।
