ଭୁବନେଶ୍ୱର: ବେସରକାରୀ ବିଦ୍ୟାଳୟ ଖୋଲିବା ଏବଂ ପରବର୍ତ୍ତୀ ଅବସ୍ଥାରେ ସିଓଆର୍ ପାଇବା ନିମନ୍ତେ ସରକାରଙ୍କ ନିୟମାବଳୀକୁ ଉଲ୍ଲଂଘନ କରି ବେଆଇନ୍ ଭାବରେ ବହୁ ବିଦ୍ୟାଳୟ ଚାଲୁଥିବାର ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ପକ୍ଷରୁ ଜାତୀୟ ମାନବାଧିକାର ଆୟୋଗ ନିକଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଗ୍ରହଣ କରି ଏନ୍ଏଚ୍ଆର୍ସି ରାଜ୍ୟ ଶିକ୍ଷା ସଚିବଙ୍କୁ ନୋଟିସ୍ ଜାରି କରିଛି। ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ସଭାପତି ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି, ଫେଡେରେସନ୍ ତରଫରୁ ବେଆଇନ ଭାବେ ସିଓଆର୍ ପ୍ରଦାନ କରାଯାଉଥିବା ପ୍ରସଙ୍ଗରେ ବିଭାଗୀୟ ସଚିବ ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ପୁର୍ବରୁ ଅଭିଯୋଗ କରାଯାଇଛି । କିନ୍ତୁ ଚଳିତ ବର୍ଷ ଅନିୟମିତତା ଏବଂ ଦୁର୍ନୀତି ସମସ୍ତ ସୀମା ଲଘଂନ କରିଥିବାର ତଥ୍ୟ ପାଇବାପରେ ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ତରଫରୁ ରାଜ୍ୟ ମାନବାଧିକାର ଆୟୁକ୍ତଙ୍କ ନିକଟରେ ମାମଲା ରୁଜ୍ଜୁ କରା ଯାଇଥିଲା। ଏହାର ପ୍ରାଥମିକ ଶୁଣାଣି କରିବା ସହ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ନୂତନ ବିଦ୍ୟାଳୟ ଖୋଲିବାକୁ ଏବଂ ପରବର୍ତ୍ତୀ ଅବସ୍ଥାରେ ସିଓଆର୍ ପ୍ରାପ୍ତ ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ କରାଯାଏ। ସମସ୍ତ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଅନଲାଇନରେ ପ୍ରଦାନ କରାଯାଏ । ଆବେଦନକାରୀଙ୍କ ତଥ୍ୟ ଓ ଆବଶ୍ୟକୀୟ ଭିତ୍ତିଭୂମି ଆଧାରରେ ଜିଲ୍ଲା ଶିକ୍ଷାଧିକାରୀ କ୍ଷେତ୍ର ପରିଦର୍ଶନ କରିବାପରେ ଆବେଦନକୁ ସ୍ଵୀକୃତି ଦେଇଥାନ୍ତି କିମ୍ବା ନାକଚ କରିଥାନ୍ତି। ସୂଚନା ଅଧିକାର ଆଇନ୍ ଅନୁଯାୟୀ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ୬୯ ଜଣ ଆବେଦନ କରିଥିଲେ ଏବଂ ବିଦ୍ୟାଳୟ ଚଲାଇବା (ସିଓଆର୍) ନିମନ୍ତେ ୧୬୩ ଜଣ ଆବେଦନ କରିଥିଲେ। ତନ୍ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଅଧିକାରୀ ସମସ୍ତ ଆବଶ୍ୟକୀୟ କାଗଜପତ୍ର ତନଖି କରିବା ପରେ ୬୯ ଆବେଦନ ମଧ୍ୟରୁ ୧୨ ଟି ଆବେଦନକୁ ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ସୁପାରିସ କରିଥିଲେ। ୧୬୩ ଆବେଦନ ମଧ୍ୟରୁ ୫୨ ଟି ବିଦ୍ୟାଳୟକୁ ସିଓଆର୍ ପାଇବା ନିମନ୍ତେ ସୁପାରିସ କରିଥିଲେ। କିନ୍ତୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ ନାକଚ କରିଥିବା ଆବେଦନକୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ବିନା ପରାମର୍ଶରେ ୨୬ ଟି ନୂତନ ବିଦ୍ୟାଳୟ କୁଖୋଲିବା ନିମନ୍ତେ ଏବଂ ୧୦୨ ଟି ବିଦ୍ୟାଳୟ କୁ ସିଓଆର୍ ଦିଆଯାଇଛି ।ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ବିଦ୍ୟାଳୟ ଜମି ପ୍ରମାଣ ପତ୍ର ଏବଂ ସୁରକ୍ଷା, ନିରାପତ୍ତା ପ୍ରମାଣପତ୍ର ଅଭାବରୁ ନାକଚ କରାଯାଇଥିବା ଆବେଦନ ଗୁଡ଼ିକୁ ପରବର୍ତ୍ତୀ ଅବସ୍ଥାରେ ସ୍ଵୀକୃତି ଦିଆଯାଇ ଥିବା ଜଣାପଡିଛି। ଏହି ନିଷ୍ପତ୍ତି କିଏ ନେଇଛି ଏବଂ କାହା ଅନୁମତିରେ ଦିଆଯାଇଛି ତାହା ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ, ଶିକ୍ଷା ଅଧିକାର ଆଇନ୍ ଏବଂ ଓଡ଼ିଶା ଶିକ୍ଷା ଆଇନ୍ ଅନୁଯାୟୀ ଥିବା ନିୟମାବଳୀ କୁ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ରାଜ୍ୟ ରାଜଧାନୀର ଜିଲ୍ଳା ଖୋର୍ଦ୍ଧାରେ ଯଦି ଏଭଳି ଅବସ୍ଥା ତେବେ ରାଜ୍ୟର ଅନ୍ୟ ଜିଲ୍ଲାରେ ଅବସ୍ଥା କଣ ଥିବ ଅନୁମାନ କରାଯାଇପାରେ। କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସମସ୍ତ କେଳେଙ୍କାରୀ ସାମ୍ନା କୁ ଆସିବ ଏବଂ ସଂପୃକ୍ତ ଅଧିକାରୀ ଧରାପଡିବେ ବୋଲି ଫେଡେରେସନ୍ ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଫେଡେରେସନ ସାଧାରଣ ସମ୍ପାଦକ ରମେଶ ଭାରତୀ, ନିର୍ମଳ ରାଉତ, ସଞ୍ଜୟ ମହାନ୍ତି, ଉପଦେଷ୍ଟା ନାଗାର୍ଜୁନ ସେଠୀ, ପ୍ରଦୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
