ପୁରୁଷୋତ୍ତମପୁର, : ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହରର ବିଭିନ୍ନ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏହାକୁ ନେଇ ସହର ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ସ୍ଥାନେ ସ୍ଥାନେ ଆଲୋକମାଳା ସାଙ୍ଗକୁ ପଣ୍ଡିତ ଓ ବ୍ରାହ୍ମଣଙ୍କ ବେଦମନ୍ତ୍ର ଧ୍ୱନି ସମଗ୍ର ପରିବେଶକୁ ପ୍ରକମ୍ପିତ କରୁଛି। ଏଥିସହ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।ପୁରୁଣା ପୋଷ୍ଟ ଅଫିସ ସାହି ପୂଜା କମିଟି ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ବିଭିନ୍ନ ପୂଜାର୍ଚ୍ଚନା ସହ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେହିପରି କାଳୀମନ୍ଦିର ଛକ ଓ କୁମାରୀଠାରେ ମଧ୍ୟ ପୂଜାମଣ୍ଡପରେ ମା’ଙ୍କ ପୂଜା କରାଯାଉଛି।ଏହା ବ୍ୟତୀତ କାଳୀମନ୍ଦିର, କନକା ଠାକୁରାଣୀ, କାଳୁଆ ଠାକୁରାଣୀ ଓ ଫୁଲସୁନ୍ଦରୀଙ୍କ ପୀଠରେ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ପାର୍ବଣର ଆଗମନରେ ସହରର ବିଭିନ୍ନ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
