ଭୁବନେଶ୍ୱର : ରବି ଟକିଜ୍ ଛକସ୍ଥିତ ଲତିକା କନଭେନସନଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବି.ଜେ.ବି. ନଗର ଶାଖା ପକ୍ଷରୁ ଚୈତନ୍ୟ ଦେବଦେବୀଙ୍କ ମନୋମୁଗ୍ଧକର ଝଲକ ସମ୍ବଳିତ ମଣ୍ଡପ ଆୟୋଜନ କରାଯାଇଛି। ଅକ୍ଟୋବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଏହା ଖୋଲା ରହିବ।କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଶାଖାର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବି.କେ. ତପସ୍ୱିନୀ ଦୀପ ପ୍ରଜ୍ୱଳନ କରିବା ସହ ଅତିଥିମାନଙ୍କୁ ତିଳକ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ। ଅତିଥି ଭାବେ ‘ସତ୍ୟମ୍ ଶିବମ୍ ଶୁଭମ୍’ ସାଂସ୍କୃତିକ ପତ୍ରିକାର ସମ୍ପାଦକ ଇଂ. ଜିତେନ କୁମାର ରାଉତରାୟ, ପୋଲିସ ଅଧିକାରୀ ଶ୍ରୀ ବିଷ୍ଣୁ ପାତ୍ର, ରବି ଟକିଜ୍ ବ୍ୟବସାୟୀ ସଂଘର ସମ୍ପାଦକ ଶ୍ରୀ ଉମାକାନ୍ତ ଗରାବଡୁ ଏବଂ ଲତିକା କନଭେନସନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ମହାପାତ୍ର ଯୋଗ ଦେଇଥିଲେ।ପରମାତ୍ମାଙ୍କ ସ୍ମୃତିରେ ନିଶ୍ଚଳ ଧ୍ୟାନମଗ୍ନ ଚୈତନ୍ୟ ଦେବଦେବୀଙ୍କ ଜୀବନ୍ତ ଦୃଶ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହି ଅବସରରେ ସାଇ ସ୍ମୃତି କଳାକେନ୍ଦ୍ରର ଶିକ୍ଷାର୍ଥୀମାନେ ନୃତ୍ୟ ପରିବେଷଣ କରିଥିବାବେଳେ ନିଶା ନିବାରଣ ଉପରେ ଆଧାରିତ ଏକ ସଚେତନତାମୂଳକ ନାଟକ ମଞ୍ଚସ୍ଥ ହୋଇଥିଲା।ବି.କେ. ତପସ୍ୱିନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସଂଗଠନର ଭାଇ ଓ ଭଉଣୀମାନେ ସହଯୋଗ କରିଥିଲେ। ନୃତ୍ୟ, ସଙ୍ଗୀତ ଓ ନାଟକରେ ଅଂଶଗ୍ରହଣକାରୀଙ୍କୁ ଉପହାର ପ୍ରଦାନ ସହ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
