Oplus_16908288
ଓ୍ବାଶିଂଟନ,: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି । ସାମ୍ବାଦିକ ରସ୍ ଡାଉଥାଟ୍ଙ୍କ ସହ ଆଲୋଚନା ବେଳେ ଜୀବନ ଓ ମୃତ୍ୟୁକୁ ନେଇ ଟ୍ରମ୍ପ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ସେ ଜଣେ ଧାର୍ମିକ ବ୍ୟକ୍ତି ଏବଂ ତାଙ୍କର ଆଶା ଯେ ମୃତ୍ୟୁ ପରେ ସେ ସ୍ୱର୍ଗକୁ ଯିବେ। ସେ ନର୍କକୁ ଯିବାକୁ ଚାହାନ୍ତି ନାହିଁ।ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଆମେରିକାରେ ତାଙ୍କ ଦଳ ରିପବ୍ଲିକାନ୍ ପାର୍ଟିର ଅନେକ ନେତାଙ୍କ ଉପରେ ଜୀବନଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରୁ ସେମାନେ ସୁରକ୍ଷିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ, ଏଭଳି ଆକ୍ରମଣରୁ ବର୍ତ୍ତିବା ପରେ ମୃତ୍ୟୁକୁ ନେଇ ତାଙ୍କ ଚିନ୍ତାଧାରାରେ କିଛି ପରିବର୍ତ୍ତନ ଆସିଛି କି? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ମୃତ୍ୟୁ ପରେ ଲୋକେ ତାଙ୍କୁ ମନେ ରଖିବେ ବୋଲି ସେ ଆଶା କରନ୍ତି । ସେ ଜଣେ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ନିଜ ବିଶ୍ୱାସ ଅନୁସାରେ ସ୍ୱର୍ଗକୁ ଯିବେ ବୋଲି ଆଶା ରଖିଛନ୍ତି । ନର୍କକୁ ଯିବାକୁ ସେ ଚାହାନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି।ସାକ୍ଷାତକାରରେ ସାମ୍ବାଦିକ ଟ୍ରମ୍ପଙ୍କୁ ଆଉ ଏକ ପ୍ରଶ୍ନ ପଚାରିଥିଲେ। ଯଦି ସେ ସ୍ୱର୍ଗକୁ ଯାଆନ୍ତି, ତେବେ ନିଜର ରାଜନୈତିକ ବିରୋଧୀଙ୍କୁ କ୍ଷମା କରିପାରିବେ କି? ବିଶେଷ କରି ଜେମ୍ସ କୋମି, ନାନ୍ସି ପେଲୋସିଙ୍କ ସମେତ ଯେଉଁମାନଙ୍କୁ ସେ ଗତ କିଛି ବର୍ଷ ଧରି ଘୃଣା କରିଆସିଛନ୍ତି, ସେମାନଙ୍କ ପ୍ରତି ମନରେ ପ୍ରେମ ଓ କ୍ଷମାଭାବ ରଖିପାରିବେ କି ବୋଲି ପଚରାଯାଇଥିଲା। ଏହାର ଉତ୍ତରରେ ଟ୍ରମ୍ପ ସ୍ପଷ୍ଟ ଭାବେ ‘ନା’ କହିଥିଲେ। ସେ କହିଥିଲେ, “ମୁଁ ସତ କହୁଛି, ବୋଧହୁଏ ତାହା କରିପାରିବି ନାହିଁ । କାରଣ ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ସବୁବେଳେ କରୁଥିବି।”ସାକ୍ଷାତକାରରେ ଟ୍ରମ୍ପ UFO (ଅଜଣା ଉଡ଼ନ୍ତା ବସ୍ତୁ) ସମ୍ପର୍କରେ ମଧ୍ୟ କଥା ହୋଇଥିଲେ। ତାଙ୍କ କହିବା ଅନୁସାରେ, ତାଙ୍କୁ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ ମଧ୍ୟରେ UFO ସମ୍ପର୍କିତ ପ୍ରଶ୍ନ ରହିଛି। ପ୍ରଥମ ଓ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କର ଅନେକ ଅଭିଜ୍ଞ ବାୟୁସେନା ପାଇଲଟ୍ଙ୍କ ସହ ସାକ୍ଷାତ ହୋଇଥିଲା। ସେମାନେ UFOକୁ ନେଇ କିଛି ଅଜବ ଅନୁଭୂତି ଓ କାହାଣୀ ତାଙ୍କୁ କହିଥିଲେ । ଟ୍ରମ୍ପଙ୍କ କହିବା ଅନୁସାରେ, ସେହି ପାଇଲଟ୍ମାନେ ଅତ୍ୟନ୍ତ ଅଭିଜ୍ଞ ଓ ବିଶ୍ୱସନୀୟ ଥିଲେ। ବିନା ପ୍ରମାଣରେ ଷଡ଼ଯନ୍ତ୍ର ତତ୍ତ୍ୱକୁ ବିଶ୍ୱାସ କରୁଥିବା ଲୋକ ନଥିଲେ। ସେମାନଙ୍କ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିବା ଟ୍ରମ୍ପ କହିଛନ୍ତି।
