ଖେଳ

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ୧୯୦

Spread the love

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଆଇପିଏଲ୍‌ର ଚର୍ଚ୍ଚିତ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଆଉ ଏକ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ୧୪ ବର୍ଷରେ ଆଇପିଏଲ୍‌ ପଦାର୍ପଣ କରିଥିବା ସୂର୍ଯ୍ୟବଂଶୀ ନିଜ ଦ୍ବିତୀୟ ପାଳିରେ ହିଁ ୩୫ ବଲ୍‌ରୁ ଶତକ ହାସଲ କରି ଲିଗ୍ ଇତିହାସରେ ଦ୍ବିତୀୟ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ। ଗୁରୁବାର କିନ୍ତୁ ସେ ବେଙ୍ଗାଲୁରୁସ୍ଥିତ ବିସିସିଆଇର ସିଓଇ (ସେଣ୍ଟର୍ ଅଫ୍ ଏକ୍ସଲେନ୍ସ)ରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍‌ରେ ମାତ୍ର ୯୦ ବଲ୍‌ରୁ ୧୯୦ ରନ୍ ସଂଗ୍ରହ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଭାରତୀୟ ୧୯ ବ‌ର୍ଷରୁ କମ୍‌ ଦଳର ଶିବିର ଅବସରରେ ସେ ଏହି ପାଳି ଖେଳିଛନ୍ତି, ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। 

ଆଇପିଏଲ୍‌ରେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ବିପକ୍ଷରେ ୩୮ ବଲ୍‌ରୁ ୧୦୧ ରନ୍ ସଂଗ୍ରହ କରିବା ସହ ଏକାଧିକ ବିସ୍ଫୋରକ ପାଳି ଖେଳିଥିଲେ। ପଦାର୍ପଣରେ ସେ ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍‌ରେ ଶାର୍ଦୁଳ ଠାକୁରଙ୍କୁ ବି ଛକା ମାରି ତତ୍‌କ୍ଷଣାତ ପ୍ରଭାବ ଛାଡ଼ିଥିଲେ। ସିଜନ୍ ଶେଷ ବେଳକୁ ୭ ମ୍ୟାଚ୍‌ରୁ ୨୫୨ ରନ୍ ସଂଗ୍ରହ କରି ଅନ୍ୟତମ ଶ୍ରେଷ୍ଠ ଯୁବ ଖେଳାଳିର ଗୌରବ ପାଇଛନ୍ତି। ସୂର୍ଯ୍ୟବଂଶୀଙ୍କ ପ୍ରଭାବୀ ପ୍ରଦର୍ଶନ ‌କେବଳ ଟି-୨୦ରେ ସୀମିତ ରହିନାହିଁ। ପୂର୍ବରୁ ସେ ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ଦଳ ବିପକ୍ଷ ୪ ଦିନିଆ ମ୍ୟାଚ୍‌ରେ ୫୮ ବଲ୍‌ରୁ ଶତକ ଏବଂ ୨୦୨୪ ଏସିସି ଏସିଆ କପ୍ (୧୯ ବର୍ଷରୁ କମ୍‌)ରେ ଭାରତର ଫାଇନାଲ୍ ପ୍ରବେଶରେ ପ୍ରମୁଖ ଭୂମିକା ନେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!