ପୂର୍ବତନ କିରାଣିଙ୍କ ୩୦ କୋଟିରୁ ଅଧିକ ସମ୍ପତ୍ତି, ମାସିକ ଦରମା ୧୫,୦୦୦ ଟଙ୍କା
ଭୁବନେଶ୍ୱର,: ସାଧାରଣ କିରାଣିଙ୍କ ୩୦ କୋଟିରୁ ଅଧିକ ସମ୍ପତ୍ତି। ମାସକୁ ୧୫,୦୦୦ ଟଙ୍କା ଦରମା ପାଉଥିବା କିରାଣିଙ୍କ ଏତେ ସମ୍ପତ୍ତି କେମିତି ହେଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କର୍ଣ୍ଣାଟକର କୋପ୍ପାଲ ଜିଲାରେ କର୍ଣ୍ଣାଟକ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ଲିମିଟେଡ (KRIDL)ର ପୂର୍ବତନ କିରାଣି କାଲାକପ୍ପା ନିଦାଗୁଣ୍ଡିଙ୍କ ନାମରେ ଲୋକାୟୁକ୍ତ ଛାପାରେ ୩୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ହୋଇଛି।ମାସିକ ୧୫,୦୦୦ ଟଙ୍କା ଦରମାରେ ଦିନ ମଜୁରିଆ ଭାବେ କାମ କରୁଥିବା ନିଦାଗୁଣ୍ଡିଙ୍କ ନାମରେ ୨୪ଟି ଆବାସିକ ଘର, ୪ଟି ଜମି ପ୍ଲଟ, ୪୦ ଏକର କୃଷି ଜମି, ୩୫୦ ଗ୍ରାମ ସୁନା ଅଳଙ୍କାର, ୧.୫ କିଲୋଗ୍ରାମ ରୁପା ଅଳଙ୍କାର ଏବଂ ୪ଟି ଯାନ (ଦୁଇଟି କାର ଓ ଦୁଇଟି ଦୁଇଚକିଆ) ଜବତ ହୋଇଛି।ନିଦାଗୁଣ୍ଡି ଓ ପୂର୍ବତନ KRIDL ଇଞ୍ଜିନିୟର ଜେଡଏମ ଚିଞ୍ଚୋଲକରଙ୍କ ବିରୋଧରେ ୯୬ଟି ଅସମ୍ପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଜାଲ ଦସ୍ତାବିଜ ଓ ନକଲି ବିଲ ତିଆରି କରି ୭୨ କୋଟି ଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି। ଲୋକାୟୁକ୍ତଙ୍କୁ ଅଭିଯୋଗ ପରେ କୋର୍ଟ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଥିଲା।କୋପ୍ପାଲ ବିଧାୟକ କେ. ରାଘବେନ୍ଦ୍ର ହିତନାଲ କହିଛନ୍ତି, ସରକାର ଏହି ମାମଲାକୁ ଗୁରୁତ୍ୱ ସହ ନେଇଛନ୍ତି ଏବଂ ବିସ୍ତୃତ ତଦନ୍ତ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।
