ନେପାଳରେ ବିଦ୍ରୋହ: ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି
କାଠମାଣ୍ଡୁ, ନେପାଳରେ ହଇଚଇ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି। ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ ଅପପ୍ରଚାର, ଡେଟା ପ୍ରିଭେସି, ଅନ୍ଲାଇନ ସେଫ୍ଟି ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସରକାରମାନେ କଟକଣା ଲଗାଉଥିବାବେଳେ ନେପାଳ ମଧ୍ୟ ଅନୁରୂପ ପନ୍ଥା ଆପଣାଇ ଫସିଯାଇଛି। ଯାହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି।ନେପାଳରେ ସୋସିଆଲ ମିଡିଆ ପ୍ରତିବନ୍ଧକକୁ ନେଇ ବିରୋଧ ପ୍ରଦର୍ଶନ ହେବା ପରେ, ସରକାର ସୋମବାର (ସେପ୍ଟେମ୍ବର ୮) ରେ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଥିଲେ। ତିନି ଦିନ ପୂର୍ବେ, ସରକାର ଫେସବୁକ, ଏକ୍ସ ଏବଂ ହ୍ବାଟ୍ସଆପ ସମେତ ୨୬ ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ନିଷ୍ପତ୍ତିର ପ୍ରତିବାଦରେ ରାଜଧାନୀ କାଠମାଣ୍ଡୁ ସମେତ ଅନେକ ସ୍ଥାନରେ ହିଂସାତ୍ମକ ପ୍ରତିବାଦ କରାଯାଇଥିଲା। ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।ମଙ୍ଗଳବାର ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ପ୍ରତିବାଦକାରୀମାନେ ଅନେକ ମନ୍ତ୍ରୀଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କ ଘର ମଧ୍ୟ ଟାର୍ଗେଟ କରାଯାଇଛି।
