ଅପରାଧ

ଛଣଗିରି ସୁନା ଦୋକାନ ଲୁଟ ଘଟଣା: ପୁଣି ୨ ଅଭିଯୁକ୍ତ ଗିରଫ, ୧କେଜି ୧୩ ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ

Spread the love

ଖୋର୍ଦ୍ଧା,: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଛଣଗିରିସ୍ଥିତ ସାଇ ସୋନୁ ସୁନା ଦୋକାନରୁ ଲୁଟ ଘଟଣାରେ ଶୁକ୍ରବାର ପୋଲିସକୁ ପୁଣି ସଫଳତା ମିଳଛି। ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧କେଜି ୧୩ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଣାସର ମିଳୁ ଓରଫ ଅଜିତ ପାଇକରାୟ ଏବଂ କଟକ ପୁରୀଘାଟର ଡମ୍ପର ଓରଫ ପ୍ରଭାକର ଜେନା।ଏମାନଙ୍କୁ ମିଶାଇ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚି ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୯୧୩ ଗ୍ରାମ ସୁନା, ୪୫୯୪ ଗ୍ରାମ ରୂପା ଜବତ କରାଯାଇଥିବା ଏସ୍‌ପି ବିବେକାନନ୍ଦ ଶର୍ମା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୪ ତାରିଖ ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ୮ଜଣ ଦୁର୍ବୃତ୍ତ ସୁନା ଦୋକାନରେ ପହଞ୍ଚି ଭୁଜାଲି, ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭିତ କରି ଦୋକାନରୁ ୧୧କେଜି ୫ଶହ ଗ୍ରାମ ସୁନାଗହଣା ଏବଂ ୫କେଜି ରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ।ଯିବାବେଳେ ଅଭିଯୁକ୍ତମାନେ ବୋମା ଏବଂ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିଲେ। ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ଜଙ୍କିଆ ଥାନାରେ ଏକ ମାମଲା(ନଂ (୨୯୭/୨୫) ରୁଜୁ ହୋଇଥିଲା। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ୩ଟିମ୍‌ ଖୋର୍ଦ୍ଧା ସମେତ ନୟାଗଡ, ପୁରୀ, ଗଞ୍ଜାମ, କଟକରେ ଚଢ଼ାଉ କରି ପ୍ରଥମ ପର୍ଯ୍ୟାୟରେ ୪ଜଣଙ୍କୁ ଗିରଫ କରିଥିଲା। ଶୁକ୍ରବାର ଆଉ ୨ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷେ ପୋଲିସ ଘଟଣା ତଦନ୍ତ ଜାରି ରହିଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଶ୍ରୀନିବାସ ମହାନ୍ତି, ଏସ୍‌ଡିପିଓ ଅନିଲ ମହାନ୍ତି, ଜଙ୍କିଆ ଥାନା ଅଧିକାରୀ ଶୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!