ଭୁବନେଶ୍ୱର ସମେତ ରାଜ୍ୟର ୧୬ ସ୍ଥାନରେ ନଦୀ ଜଳ ପ୍ରଦୂଷିତ,
ଭୁବନେଶ୍ୱର,: ଓଡ଼ିଶାରେ ୧୬ଟି ନଦୀ ସ୍ଥାନ ପ୍ରଦୂଷିତ ହୋଇଥିବା କଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ନଦୀର ପ୍ରଦୂଷିତ ଅଂଶ ଚିହ୍ନଟ କରାଯାଇଛି। ଏହି ପ୍ରଦୂଷିତ ସ୍ଥାନଗୁଡ଼ିକ ମଧ୍ୟରେ କଟକର କାଠଯୋଡ଼ି, ଭୁବନେଶ୍ୱରର ଦୟା ନଦୀ ଓ ଗାଙ୍ଗୁଆ ନାଳ, ଗୋପର ଭିଙ୍ଗାରପୁର ନିକଟସ୍ଥ କୁଶଭଦ୍ରା, ଏବଂ ରାଉରକେଲାର ବ୍ରାହ୍ମଣୀ ନଦୀର କିଛି ଅଂଶ ଓ ଗୁରୁଡ଼ି ନାଳ ଅନ୍ତର୍ଭୁକ୍ତ।ମନ୍ତ୍ରୀଙ୍କ କହିବା ଅନୁଯାୟୀ, ସହରାଞ୍ଚଳର ବର୍ଜ୍ୟଜଳ ଏବଂ ନଦୀ ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ ଏହି ନଦୀଗୁଡ଼ିକ ଅଧିକାଂଶ କ୍ଷେତ୍ରରେ ପ୍ରଦୂଷିତ ହେଉଛନ୍ତି। ରାଜ୍ୟ ସରକାର ଏହି ନଦୀଗୁଡ଼ିକରେ ଜଳ ପ୍ରଦୂଷଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସହରାଞ୍ଚଳ ସ୍ଥାନୀୟ ସଂସ୍ଥାମାନଙ୍କୁ ନଦୀରେ ବର୍ଜ୍ୟବସ୍ତୁ ନିଷ୍କାସନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଜିଲା ପ୍ରଶାସନ, ସହରାଞ୍ଚଳ ବିକାଶ ବିଭାଗ, ପବ୍ଲିକ୍ ହେଲ୍ଥ୍ ଇଞ୍ଜିନିୟରିଂ ସଂସ୍ଥା ଏବଂ ଜଳ ଯୋଗାଣ ଓ ପରିମଳ କର୍ତ୍ତୃପକ୍ଷଙ୍କୁ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ନଦୀର ଜଳ ପ୍ରବାହ ବଢ଼ାଇବା, ନଦୀ ତଟ ବିକାଶ କରିବା ଏବଂ ନଦୀ କୂଳରେ ଖୋଲା ଶୌଚ ବନ୍ଦ କରିବା ପାଇଁ ପାଇଖାନା ନିର୍ମାଣ କରାଯାଉଛି
