ବିଧାୟକ ଦରମା ବୃଦ୍ଧି ପ୍ରସଙ୍ଗ: ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀରେ ନେତା
ଭୁବନେଶ୍ବର, : ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ ସର୍ବାଧିକ ଦରମା ଭତ୍ତାକୁ ବୃଦ୍ଧି କରି ₹୩,୪୫,୦୦୦ ଟଙ୍କା ନେଉଥିବା ସାଧାରଣ ଲୋକମାନେ ହଜମ କରିପାରି ନାହାନ୍ତି। ଚା ଖଟି ହେଉ କିମ୍ବା ସୋସିଆଲ ମିଡିଆ ସବୁଠି ଏହାକୁ ନେଇ ବିରୋଧାଭାସ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସରକାରୀ ଏବଂ ବିରୋଧୀ ବିଧାୟକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସହିତ ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି।ବିଧାନସଭାରେ ଏହି ବିଲ ପାରିତ ହେଉଥିବା ବେଳେ କମ୍ୟୁନିଷ୍ଟ ପାର୍ଟିର ଏକମାତ୍ର ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ବିରୋଧ କରିଥିଲେ। ବର୍ତ୍ତମାନ ଦରମା ବୃଦ୍ଧିକୁ ନେଇ ସରକାରୀ ଏବଂ ବିରୋଧୀ ବିଧାୟକ ଦ୍ବନ୍ଦରେ ପଡିଥିବା ବେଳେ ଅନେକ ଏହି ବର୍ଦ୍ଧିତ ଦରମାକୁ ନ ନେବାକୁ ଏବଂ କିଛି ଏହାକୁ ଗରିବ ଲୋକଙ୍କୁ ଦାନ କରିବାକୁ କହିଛନ୍ତି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବର୍ଦ୍ଧିତ ଦରମା ଗ୍ରହଣ ନକରିବାକୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଭାଜପା ଓ କଂଗ୍ରେସ ଉଭୟ ତାଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଉଭୟ ଦଳ ଅଭିଯୋଗ କରିଛନ୍ତି ଯେ ନବୀନ ପଟ୍ଟନାୟକ ଉପଯୁକ୍ତ ଫୋରମରେ ଆପତ୍ତି ଉଠାଇବା ପରିବର୍ତ୍ତେ ‘ରାଜନୈତିକ ଡ୍ରାମା’ କରୁଛନ୍ତି।ବରିଷ୍ଠ BJP ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ୨୪ ବର୍ଷ ଧରି କ୍ଷମତାରେ ଥିବା ଜଣେ ସମ୍ପତ୍ତିଶାଳୀ ନେତା ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏପରି ନିଷ୍ପତ୍ତି ନେଇ ପାରିଥାନ୍ତେ। ସେ ବିଜୁ ପଟ୍ଟନାୟକଙ୍କ ଏକ ଟଙ୍କା ଦରମା ପ୍ରଥାକୁ ମନେ ପକାଇ ପ୍ରଶ୍ନ କରିଛନ୍ତି, “ଏହା କେବଳ ଏକ ଡ୍ରାମା – ରାଜନୈତିକ ନାଟକ।” ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଆଲୋଚନା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭା ବିତର୍କରେ ଭାଗ ନେଲେ ନାହିଁ କିମ୍ବା ଆପତ୍ତି ଉଠାଇଲେ ନାହିଁ।
