ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ
ନୂଆଦିଲ୍ଲୀ, : ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର ଅପବ୍ୟବହାର କରିଥିବା ସନ୍ଦେହରେ ବ୍ରିଟିଶ ପୋଲିସ ତାଙ୍କୁ ହେପାଜତକୁ ନେଇଛି। ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ତାଙ୍କର ୬୬ତମ ଜନ୍ମଦିନ ଥିବାବେଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଥେମ୍ସ ଭ୍ୟାଲି ପୋଲିସ ପକ୍ଷରୁ ଏହି ଗିରଫଦାରୀ କରାଯାଇଛି। ପୋଲିସ ସିଧାସଳଖ ଆଣ୍ଡ୍ର୍ୟୁଙ୍କ ନାମ ନେଇନଥିଲେ ମଧ୍ୟ ନରଫୋକରୁ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି। ବର୍ତ୍ତମାନ ବାର୍କସାୟାର ଏବଂ ନରଫୋକର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସହ ଆଣ୍ଡ୍ର୍ୟୁଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗିରହିଥିଲା। ନିକଟରେ ଆମେରିକା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗୁପ୍ତ ଦସ୍ତାବିଜରୁ ଜଣାପଡିଛି ଯେ, ଆଣ୍ଡ୍ର୍ୟୁ ବ୍ରିଟେନର ବାଣିଜ୍ୟ ପ୍ରତିନିଧି ଥିବା ସମୟରେ କେତେକ ଗୁପ୍ତ ସରକାରୀ ତଥ୍ୟ ଏପଷ୍ଟାଇନଙ୍କୁ ପ୍ରଦାନ କରିଥିଲେ।ଏହି ଘଟଣାରେ ପ୍ରତିକ୍ରିୟା ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର କହିଛନ୍ତି ଯେ, “ଆଇନ ଆଗରେ କେହି ବଡ଼ ନୁହନ୍ତି” ଏବଂ ଏହି ନିୟମ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଉଚିତ।ଏହି ବିବାଦ ପାଇଁ ୨୦୨୫ ନଭେମ୍ବର ୩ ତାରିଖରେ ରାଜା ଚାର୍ଲସ ନିଜ ଭାଇ ଆଣ୍ଡ୍ର୍ୟୁଙ୍କଠାରୁ ‘ରାଜକୁମାର’ ଏବଂ ‘ଡ୍ୟୁକ୍ ଅଫ୍ ୟର୍କ’ ଭଳି ସମସ୍ତ ସମ୍ମାନଜନକ ଉପାଧି ଛଡ଼ାଇ ନେଇଥିଲେ।ଆଣ୍ଡ୍ର୍ୟୁ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରିଆସୁଥିଲେ ମଧ୍ୟ, ଏହି ଗିରଫଦାରୀ ବ୍ରିଟିଶ ରାଜ ପରିବାର ପାଇଁ ଏକ ବଡ଼ ଅପମାନ ବୋଲି କୁହାଯାଉଛି।
