ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍ପେଣ୍ଡ୍
କଟକ : କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ କଣ୍ଟାବାଞ୍ଜିକୁ ବଦଳି ହୋଇଥିଲେ ହେଁ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଛୁଟିରେ ଥିବା କହିଥିଲେ ମଧ୍ୟ କର୍ତ୍ତବ୍ୟରେ ଅବହେଳା ଓ ଅସଦାଚରଣ ପାଇଁ ଜେଲ୍ ଡିଜି ସୁଶାନ୍ତ ନାଥ ତାଙ୍କୁ ସସ୍ପେଣ୍ଡ୍ କରିଛନ୍ତି। ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ସମ୍ବଲପୁର ସର୍କଲ ଜେଲ୍ରେ ରହିବ।ସନ୍ତୋଷିନୀ ଦାଶଙ୍କ ନିଲମ୍ବନ ପୂର୍ବରୁ ଗଣମାଧ୍ୟମ ସହ ଆଲୋଚନା ବେଳେ ଜେଲ୍ ଡିଜି ସୁଶାନ୍ତ ନାଥ ବିଭାଗର ଅନେକ ଅପାରଗତାକୁ ସ୍ୱୀକାର କରିଛନ୍ତି। ଡିଜି କହିଛନ୍ତି ଯେ, ରାଜ୍ୟରେ ଜଣେ ବି ଜେଲ୍ ଅଧିକାରୀ କିମ୍ବା କର୍ମଚାରୀ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହେଉନାହାନ୍ତି। ଚଳିତ ବର୍ଷ ପ୍ରାୟ ୩୦ ଜଣ କର୍ମଚାରୀଙ୍କ ବିରୋଧରେ ବିଭିନ୍ନ ମାମଲା ଚାଲିଛି।ଚୌଦ୍ୱାର ଜେଲ୍ରେ ଜଣେ ମହିଳା କଏଦୀଙ୍କ ସୁନା ଚୋରି ହେବା ଓ ତା’ର ରଫାଦଫା ପାଇଁ ୧ ଲକ୍ଷ ୯୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ଘଟଣାରେ ଡିଜି କ୍ଷୋଭ ପ୍ରକାଶ କରିଛନ୍ତି। ତତ୍କାଳୀନ ଜେଲ୍ ଅଧୀକ୍ଷକ ରେଜିଷ୍ଟର୍ ତଦାରଖ କରିବାରେ ତ୍ରୁଟି କରିଥିଲେ ଏବଂ ଏହି ଟଙ୍କା କେଉଁ ପାଣ୍ଠିରୁ ଦିଆଗଲା, ସେ ନେଇ ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ଗତ ୨୦୨୪ରେ ୧୨ ଜଣ ଏବଂ ୨୦୨୫ରେ ୬ ଜଣ କଏଦୀ ଜେଲ୍ରୁ ଖସି ପଳାଇଛନ୍ତି। ଏହାକୁ ରୋକିବା ପାଇଁ ୩୪ଟି ଜେଲ୍ରେ ଏଆଇ (AI) ଟାୱାର ବ୍ୟବସ୍ଥା କରାଯାଉଛି।ବିଭାଗର ଗୁମର ଖୋଲିବା ସହ ଅଧିକାରୀଙ୍କ କୌଣସି ତ୍ରୁଟି ସାମ୍ନାକୁ ଆସିଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି ନାଥ ଚେତାବନୀ ଦେଇଛନ୍ତି।
