ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶକ୍ତି ଯୋଗାଣ ଉପରେ ପଡ଼ୁଥିବା ପ୍ରଭାବର ସମୀକ୍ଷା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ।’ଟିମ ଇଣ୍ଡିଆ’ ଭାବନାରେ ସମସ୍ତ ରାଜ୍ୟ ସହ ସମନ୍ବୟ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ପଶ୍ଚିମ ଏସିଆ ସଂଘର୍ଷକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକ। ଆଚରଣ ବିଧି ଲାଗୁ ହୋଇଥିବାରୁ ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନେ ଏଥିରେ ଅଂଶଗ୍ରହଣ କରିନାହାନ୍ତି। ଏହି ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ସହ କ୍ୟାବିନେଟ ସଚିବାଳୟ ପୃଥକ ଭାବେ ଆଲୋଚନା କରିବ।ପ୍ରଧାନମନ୍ତ୍ରୀ ପୂର୍ବରୁ ଲୋକ ସଭାରେ ଚେତାବନୀ ଦେଇଥିଲେ ଯେ କିଛି ଅସାମାଜିକ ତତ୍ତ୍ୱ ଏଭଳି ବିଶ୍ୱସ୍ତରୀୟ ସଙ୍କଟର ସୁଯୋଗ ନେଇପାରନ୍ତି। ତେଣୁ ଉପକୂଳ, ସୀମା ଏବଂ ସାଇବର କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।ଇରାନ ଯୁଦ୍ଧ ପରେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ରୋଷେଇ ଗ୍ୟାସର ଅଭାବ ଦେଖାଦେବ ବୋଲି ଗୁଜବ ସୃଷ୍ଟି ହୋଇଛି, ଯାହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ଏହାକୁ ନେଇ ସରକାର ସ୍ପଷ୍ଟ କରିଛନ୍ତି। ଦେଶରେ ୬୦ ଦିନ ପାଇଁ ପେଟ୍ରୋଲ-ଡିଜେଲ ଏବଂ ପ୍ରାୟ ମାସେ ପାଇଁ ଏଲପିଜି (LPG) ଷ୍ଟକ ରହିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ ଶକ୍ତି ଯୋଗାଣ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଲୋକମାନେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ତେଲ ଉପଲବ୍ଧ ଅଛି ଏବଂ ପିଏନଜି (PNG) ଯୋଗାଣରେ କୌଣସି ବାଧା ଉପୁଜିବ ନାହିଁ।
