ମୁମ୍ବାଇ : ଭାରତୀୟ ନିର୍ବାଚନ ଆୟୋଗଙ୍କ ବିରୋଧରେ ମୁମ୍ବାଇରେ ଏକାଠି ହୋଇଛନ୍ତି ଠାକରେ ଭାଇ । ଭୋଟର ତାଲିକାରେ କଥିତ ହେରଫେର ଏବଂ ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍କୁ ବିରୋଧ କରି ଉଦ୍ଧବ ଠାକରେ ଓ ରାଜ୍ ଠାକରେଙ୍କ ନେତୃତ୍ୱରେ ବିଶାଳ ବିରୋଧ ମାର୍ଚ୍ଚ କରାଯାଇଛି ।ମୁମ୍ବାଇର ମେଟ୍ରୋ ସିନେମା ଜଙ୍କସନ୍ରୁ ଆରମ୍ଭ ହୋଇଥିବା ଏହି ମାର୍ଚ୍ଚ ବିଏମସି ମୁଖ୍ୟାଳୟ ପର୍ଯ୍ୟନ୍ତ ଯାଇଛି । ଏଥିରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଓ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ପ୍ରମୁଖ ଭୂମିକାରେ ଅଛନ୍ତି । ନିର୍ବାଚନ ଆୟୋଗ କେନ୍ଦ୍ରର ଶାସକ ଦଳର ଏକ ଶାଖା ଭଳି କାମ କରୁଥିବା ଏବଂ ଭୋଟର ତାଲିକାରେ ଜାଣିଶୁଣି ଗଡ଼ବଡ଼ କରାଯାଉଥିବା ନେଇ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି । ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଗଣତନ୍ତ୍ର ଓ ମତଦାନ ଅଧିକାରର ସୁରକ୍ଷା ପାଇଁ ଏହି ଆନ୍ଦୋଳନ କରାଯାଉଥିବା ନେତାମାନେ କହିଛନ୍ତି ।
