ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ପ୍ରାୟ କୌଣସି ବ୍ୟକ୍ତିଗତ ଯୋଗାଯୋଗ ନାହିଁ। ଦୁହେଁ ଯେତେବେଳେ ସାମ୍ନାସାମ୍ନି ହୁଅନ୍ତି, ମୋଦୀ ଔପଚାରିକ ନମସ୍କାର କରିବା ପରେ ଆଖିରେ ଆଖି ମିଶାଇବା ପରିବର୍ତ୍ତେ ଅନ୍ୟ ଆଡ଼କୁ ଚାହାନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର ନୂଆ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ଏହି ମନ୍ତବ୍ୟ ଦେଇଛନ୍ତି।ସୋନିଆ ଲେଖିଛନ୍ତି ଯେ, ନରେନ୍ଦ୍ର ଦାମୋଦରଦାସ ମୋଦୀ ୧୨ ବର୍ଷରୁ ଅଧିକ ସମୟ ଧରି ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ବର୍ତ୍ତମାନ ତୃତୀୟ ପାଳିରେ କାର୍ଯ୍ୟ କରୁଛନ୍ତି। ଏତେ ଦୀର୍ଘ ସମୟ ଧରି ଦେଶର ରାଜନୀତିରେ ଉଭୟ ଶୀର୍ଷସ୍ତରରେ ଥିଲେ ମଧ୍ୟ ଉଭୟଙ୍କ ଭିତରେ କୌଣସି ଅର୍ଥପୂର୍ଣ୍ଣ ଆଲୋଚନା ହୋଇନାହିଁ। ସଂସଦର ପ୍ରତ୍ୟେକ ଅଧିବେଶନ ଶେଷରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ନେତାମାନେ ଲୋକସଭା ବାଚସ୍ପତିଙ୍କ କକ୍ଷରେ ଏକାଠି ହୁଅନ୍ତି। ଏଭଳି ଅର୍ଦ୍ଧ-ଔପଚାରିକ ବୈଠକରେ ହିଁ ତାଙ୍କର ମୋଦୀଙ୍କ ସହ ସାକ୍ଷାତ ହୁଏ। ସେଠାରେ ଉଭୟେ କେବଳ ଔପଚାରିକ ଭାବେ ପରସ୍ପରକୁ ନମସ୍କାର ଓ ପ୍ରତିନମସ୍କାର କରନ୍ତି। ଅତୀତରେ ଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଯେଉଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହୁଥିଲା, ଏବେ ତାହା ଦେଖିବାକୁ ମିଳୁନାହିଁ ବୋଲି ସେ ଲେଖିଛନ୍ତି।ଏହି ସାମାନ୍ୟ ସାକ୍ଷାତ୍ ବ୍ୟତୀତ ଦୁହିଁଙ୍କ ମଧ୍ୟରେ କେବେ ପ୍ରକୃତ ଆଲୋଚନା ହୋଇନାହିଁ। ତେବେ ଜନ୍ମଦିନ ଓ ନୂଆବର୍ଷ ଅବସରରେ ଉଭୟେ ପରସ୍ପରକୁ ଔପଚାରିକ ଶୁଭେଚ୍ଛା ଜଣାଇଥାନ୍ତି। ସୋନିଆ ଡାକ୍ତରଖାନାରୁ ଫେରିବା ପରେ ମୋଦୀ କେତେକ ସମୟରେ ତାଙ୍କୁ ‘ଆପଣ ଠିକ୍ ଅଛନ୍ତି କି?’ ବୋଲି ପଚାରିଥିବା କଥା ମଧ୍ୟ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହାର ଉତ୍ତରରେ ସେ ‘ହଁ, ଏବେ ଠିକ୍ ଅଛି, ଧନ୍ୟବାଦ’ ବୋଲି କହିଥିଲେ।ମୋଦୀ ଓ ତାଙ୍କ ମଧ୍ୟରେ ଥିବା ଦୂରତା କେବଳ ବ୍ୟକ୍ତିଗତ ନୁହେଁ, ବରଂ ଦୁହିଁଙ୍କର ଭାରତ ସମ୍ପର୍କିତ ଦୃଷ୍ଟିକୋଣରେ ମଧ୍ୟ ମୌଳିକ ପାର୍ଥକ୍ୟ ରହିଛି ବୋଲି ସୋନିଆ କହିଛନ୍ତି। ତାଙ୍କ ମତରେ, ମୋଦୀଙ୍କ ଭାରତ ସମ୍ପର୍କିତ ଚିନ୍ତାଧାରା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ବିଚାରଧାରା ଦ୍ୱାରା ଗଠିତ। ଅନ୍ୟପକ୍ଷରେ ତାଙ୍କ ନିଜର ଭାରତ ଚିନ୍ତାଧାରା ପରିବାରର ସେବାଭାବ, ସ୍ୱାଧୀନତା, ସମାନତା ଓ ବିଭିନ୍ନ ଧର୍ମ, ଭାଷା ଓ ସଂସ୍କୃତିର ସହାବସ୍ଥାନ ଉପରେ ଆଧାରିତ। ତେବେ ଉଭୟଙ୍କ ମଧ୍ୟରେ ଏହାକୁ ସେ ବ୍ୟକ୍ତିଗତ ବିବାଦ ଭାବେ ଦେଖୁନାହାନ୍ତି। ମୋଦୀ ନିଜ ଭାରତ ଦୃଷ୍ଟିକୋଣ ପାଇଁ ଲଢ଼ୁଥିବା ବେଳେ ସେ ଅନ୍ତର୍ଭୁକ୍ତୀକରଣ, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟ ଆଧାରିତ ଭାରତ ପାଇଁ ଲଢ଼ୁଛନ୍ତି ବୋଲି ପୁସ୍ତକରେ ଲେଖିଛନ୍ତି।
