ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରତିବାଦ ସମୟରେ ଦିଲ୍ଲୀ ମେଟ୍ରୋ ଷ୍ଟେସନଗୁଡ଼ିକୁ ବନ୍ଦ କରିବା ଓ ଟ୍ରେନ୍ ସେବା ବାତିଲ କରି କର୍ତ୍ତୃପକ୍ଷ ଅକ୍ଟୋବର ୯ ତାରିଖରେ ସର୍ବୋଚ୍ଚ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ରବିବାର ସ୍ୱତନ୍ତ୍ର ଶୁଣାଣି କରିବେ। ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଓ ଜଷ୍ଟିସ ଭି ମୋହନାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଉଭୟ ଘଟଣା ଉପରେ ଶୁଣାଣି କରିବେ। କୋର୍ଟ ଅବମାନନା ଆବେଦନ ଆଡଭୋକେଟ ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ଦ୍ବାରା ଦାୟର ହୋଇଛି। ଶନିବାର ଦିଲ୍ଲୀରେ ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀଙ୍କ ଅଟକ ସମ୍ପର୍କରେ ଦାୟର ହୋଇଥିବା ଏକ ହେବିୟସ୍ କର୍ପସ୍ ଆବେଦନର ମଧ୍ୟ ସ୍ୱତନ୍ତ୍ର ଖଣ୍ଡପୀଠ ଶୁଣାଣି କରିବେ। ଚାରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ନେତାଙ୍କ ସତର୍କତାମୂଳକ ଅଟକକୁ ଚ୍ୟାଲେଞ୍ଜ କରି ହେବିୟସ୍ କର୍ପସ୍ ଆବେଦନ ତୃଣମୂଳ କଂଗ୍ରେସ ସାଂସଦ ତଥା ବରିଷ୍ଠ ଓକିଲ ମେନକା ଗୁରୁସ୍ବାମୀଙ୍କ ଦ୍ବାରା ଦାୟର ହୋଇଛି। ଗୁରୁସ୍ୱାମୀ ଯୁକ୍ତି ଦେଇଛନ୍ତି ଯେ, ଶାନ୍ତିପୂର୍ଣ୍ଣ ପ୍ରତିବାଦର ମୌଳିକ ଅଧିକାରକୁ ଦମନ କରିବା ପାଇଁ ସତର୍କତାମୂଳକ ଅଟକ ବ୍ୟବହାର କରାଯାଇପାରିବ ନାହିଁ। ଆବେଦନକାରୀ ରାସ୍ତାରୁ ପ୍ରତିବାଦକାରୀମାନଙ୍କୁ ଓ ବିରୋଧୀ ନେତାମାନଙ୍କୁ ସେମାନଙ୍କ ବାସଭବନରୁ ଉଠାଇ ନେବାର ପୁଲିସ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆବେଦନରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଦିଲ୍ଲୀ ପୁଲିସ କମିସନର ଅନୁରାଗ କୁମାର ଓ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆର୍ସି) ଅଧ୍ୟକ୍ଷ ଡି ଥରାଙ୍କ ବିରୋଧରେ ଅଦାଲତଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ଅବମାନନା କରିବା ଅଭିଯୋଗରେ ଅବମାନନା ମାମଲା ରୁଜୁ କରିବାକୁ ଦାବି କରାଯାଇଛି। ଆବେଦନକାରୀ ଯୁକ୍ତି ଦେଇଛନ୍ତି ଯେ, ଅକ୍ଟୋବର ୧୦ ତାରିଖରେ ହୋଇଥିବା ପ୍ରତିବାଦ ସମୟରେ ମେଟ୍ରୋ ଓ ରେଳ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ନକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ ସାଧାରଣ ପରିବହନ ଉପରେ କଟକଣା ଜାରି କରିଥିଲେ। ଆବେଦନ ଅନୁଯାୟୀ, ମେଟ୍ରୋ ଷ୍ଟେସନଗୁଡ଼ିକ ବନ୍ଦ ରହିବା ଓ ଟ୍ରେନ୍ ବାତିଲ ହେବା ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଜାତୀୟ ରାଜଧାନୀରେ ଜନଜୀବନ ଗୁରୁତର ଭାବରେ ବ୍ୟାହତ ହୋଇଥିଲା। ଅଭିଯୋଗଗୁଡ଼ିକର ଏପର୍ଯ୍ୟନ୍ତ କୋର୍ଟ ଦ୍ୱାରା ବିଚାର କରାଯାଇ ନାହିଁ
