ଭୁବନେଶ୍ୱର : ରାଷ୍ଟ୍ରୀୟ ପଛୁଆବର୍ଗ (OBC) ମୋର୍ଚ୍ଚାର ପଞ୍ଚମ ଓଡ଼ିଶା ରାଜ୍ୟ ଅଧିବେଶନ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୌଧୁରୀ ବିକାଶ ପଟେଲଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ସମ୍ପନ୍ନ ହୋଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋପବନ୍ଧୁ ମହାନ୍ତ ଅଧିବେଶନକୁ ଉଦ୍ଘାଟନ କରିଥିବା ବେଳେ ସମାଜ ସଂସ୍କାରକ ପଞ୍ଚାନନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଅଧିବେଶନରେ OBC/SEBC ସମାଜର ସାମାଜିକ ନ୍ୟାୟ, ଜାତିଗତ ଜନଗଣନା, ଶିକ୍ଷା ଓ ସରକାରୀ ନିଯୁକ୍ତିରେ ନ୍ୟାୟସଙ୍ଗତ ସୁଯୋଗ, ରାଜନୈତିକ ପ୍ରତିନିଧିତ୍ୱ ଏବଂ ସମ୍ବିଧାନ ପ୍ରଦତ୍ତ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ନିର୍ବାଚନରେ EVM ପରିବର୍ତ୍ତେ ବାଲଟ୍ ପେପର ବ୍ୟବସ୍ଥା ଲାଗୁ କରିବା ଦାବି ମଧ୍ୟ ଉଠାଯାଇଥିଲା।
*ମୋର୍ଚ୍ଚାର ପ୍ରମୁଖ ଦାବିଗୁଡ଼ିକ ହେଲା:*
– ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗର ରିପୋର୍ଟର ସ୍ଥିତି ସ୍ପଷ୍ଟ କରି ଆଇନଗତ ଭାବେ ପ୍ରକାଶଯୋଗ୍ୟ ରିପୋର୍ଟକୁ ସାର୍ବଜନୀନ କରାଯାଉ।
– ନୂତନ କମିଶନର ଦାୟିତ୍ଵ, ରିପୋର୍ଟ ଦାଖଲ ଓ ସରକାରୀ ନିଷ୍ପତ୍ତି ପାଇଁ ସ୍ପଷ୍ଟ ସମୟସୀମା ଘୋଷଣା କରାଯାଉ।
– ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପ୍ରଯୁଜ୍ୟ ଆଇନଗତ ମାନଦଣ୍ଡ ପୂରଣ କରି ସ୍ଥାନୀୟ ସ୍ୱାୟତ୍ତ ଶାସନ ନିର୍ବାଚନରେ OBC/SEBCଙ୍କ ନ୍ୟାୟସଙ୍ଗତ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯାଉ।
– ଜାତିଗତ ଜନଗଣନା ଓ ବିଶ୍ୱସନୀୟ ତଥ୍ୟ ଆଧାରରେ ପଛୁଆବର୍ଗଙ୍କ ପାଇଁ ନ୍ୟାୟସଙ୍ଗତ ନୀତି ପ୍ରସ୍ତୁତ କରାଯାଉ।
– ଶିକ୍ଷା, ଉଚ୍ଚଶିକ୍ଷା ଓ ସରକାରୀ ନିଯୁକ୍ତିରେ ପ୍ରଯୁଜ୍ୟ ସଂରକ୍ଷଣ ନୀତିର ଫଳପ୍ରଦ କାର୍ଯ୍ୟକାରିତା କରାଯାଉ।
– ଜାତିଗତ ଅସମାନତା ଓ ସାମାଜିକ ଆଧିପତ୍ୟର ଅବସାନ ପାଇଁ ସମ୍ବିଧାନର ସମାନତା, ସ୍ୱାଧୀନତା, ଭାଇଚାରା ଓ ସାମାଜିକ ନ୍ୟାୟର ମୂଲ୍ୟବୋଧକୁ ସୁଦୃଢ଼ କରାଯାଉ।
ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, OBC/SEBC ସମାଜର ଅଧିକାର କେବଳ ଗୋଟିଏ ସଂଗଠନର ପ୍ରସଙ୍ଗ ନୁହେଁ; ଏହା ସାମାଜିକ ସମାନତା ଓ ଗଣତନ୍ତ୍ରରେ ସମସ୍ତଙ୍କ ସହଭାଗୀତା ସହ ଜଡ଼ିତ। ତେଣୁ ସରକାର ଏହି ଦାବିଗୁଡ଼ିକ ଉପରେ ସ୍ୱଚ୍ଛ, ଉତ୍ତରଦାୟୀ ଓ ସମୟବଦ୍ଧ ପଦକ୍ଷେପ ଗ୍ରହଣ କରିବା ସହ ଅନାବଶ୍ୟକ ବିଳମ୍ବକୁ ଏଡ଼ାଇବା ଆବଶ୍ୟକ।
ଏହି ଅବସରରେ ସମସ୍ତ OBC/SEBC ଭାଇଭଉଣୀ, ଯୁବପିଢ଼ି, ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନଗୁଡ଼ିକୁ ନିଜ ଅଧିକାର ପ୍ରତି ସଚେତନ ହେବା ସହ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ସଂଗଠିତ ହେବାକୁ ମୋର୍ଚ୍ଚା ଆହ୍ୱାନ କରିଛି। *ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉପସ୍ଥିତି ଭାବେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଞ୍ଜିନିୟର ସୌମ୍ଯ ରଞ୍ଜନ ଆଢ୍ଯ, ଓଡିଶା ରାଜ୍ୟ ସଭାପତି ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ସୁଶୀଲ ସାହୁ, ଆନନ୍ଦ ସାହୁ, ସରୋଜ ମେଷ୍ଵା, ପୂର୍ଣ୍ଣ ଚନ୍ଦ୍ର ବିଶ୍ଵାଳ, କମଳୀନୀ ଯାଦବ, କବିତା ସାହୁ, ବିଶ୍ଵଜିତ ପ୍ରଧାନ, ଦିବ୍ୟ ରଞ୍ଜନ ସାହୁ ପ୍ରମୁଖ ଆୟୋଜନ ଓ କାର୍ଯ୍ୟକ୍ରମରେ ଭୂମିକା ଗ୍ରହଣ କରିଥିଲେ।
