ମୁଖ୍ୟ ଖବର

ଡ୍ରାଇଭର ମହାସଂଘ ଆନ୍ଦୋଳନର ପ୍ରଭାବ: ଟାଙ୍କିରେ ନାହିଁ, ବାହାରେ ମିଳୁଛି

Spread the love

ଭୁବନେଶ୍ବର: ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ରାଜ୍ୟରେ ଯାତ୍ରୀ ଓ ସାମଗ୍ରୀ ପରିବହନ ଠପ୍‌ ହୋଇ ପଡ଼ିଛି। ତୈଳ ପରିବହନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦୁଇଦିନ ହେବ ପେଟ୍ରୋଲ୍‌, ଡିଜେଲ୍‌ ପରିବହନ ହୋଇନପାରିବାରୁ ତେଲ ସଙ୍କଟ ଦେଖାଦେଇଛି। ଆଜି ଭୁବନେଶ୍ବରକୁ ତେଲ ପରିବହନ ହୋଇନଥିବାରୁ କିଛି ତେଲ ଟାଙ୍କିକୁ ଛାଡ଼ି ଦେଳେ ଅଧିକାଂଶ ତେଲ ଟାଙ୍କିରୁ ତେଲ ସରି ଯାଇଥିବା ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପେଟ୍ରୋଲ ପମ୍ପମାନଙ୍କରେ ପ୍ରବଳ ଭିଡ଼ ଲାଗି ରହିଥିଲା। କେତେକ ପେଟ୍ରୋଲ୍‌ ପମ୍ପରେ ତେଲ ସରିଯାଇଥିବା ଲେଢ଼ଖି ଝୁଲାଇ ଦିଆଯାଇତିବା ବେଳେ ସେହି ପେଟ୍ରୋଲ୍‌ ପମ୍ପ୍‌ ବାହାରେ କିଛି ଅସାଧୁ ବ୍ୟବସାୟୀ ଚଢ଼ା ଦଳରେ ପେଟ୍ରୋଲ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କଳ୍ପନା ଟ୍ରାଫିକ୍‌ ଛକରେ ଥିବା ପେଟ୍ରୋଲ ପମ୍ପକୁ ଆଜି ବନ୍ଦ କରି ଦିଆଯାଇଥିଲା। କିନ୍ତୁ ପେଟ୍ରୋଲ ସାମନାରେ ବଡ଼ ବଡ଼ ଜାର୍‌ରେ ପେଟ୍ରୋଲ ରଖି ବିକ୍ରି କରାଯାଇଥିଲା। ଏଠି ଲିଟର ପିଛା ପ୍ରଥମେ ୧୩୦ ଟଙ୍କା ନିଆଯାଇଥିଲା।ପରେ ପରେ ପ୍ରତି ଲିଟର ପିଛା ୧୪୦ରୁ ୧୫୦ ଟଙ୍କା ବିକ୍ରି ହୋଇଥିଲା। ଜାର୍‌ରୁ ତେଲ ସରିଯିବା ପରେ ସଙ୍ଗେ ସଙ୍ଗେ ଆହୁରି ତେଲ ପହଞ୍ଚିଯାଉଥିଲା। କେବଳ ଏହି ଟାଙ୍କି ନୁହେଁ, ଲୁଇସ୍‌ ରୋଡରେ ଥିବା ତେଲ ଟାଙ୍କି, ରବିଟକିଜ୍‌ ତେଲ ଟାଙ୍କି ସହ ଅନ୍ୟ ଟାଙ୍କି ସାମ୍‌ନାରେ ଏବଂ ରାସ୍ତାକଡ଼ରେ ପେଟ୍ରୋଲ ଚଢ଼ା ଦରରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା। ଯଦି ପେଟ୍ରୋଲ ପମ୍ପରୁ ତେଲ ସରିଥିଲା ତେବେ ଗୋଟେ ପରେ ଗୋଟେ ତେଲ ଜାର୍‌ କେଉଁଠୁ ଆସୁଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେଳ ଗାଡ଼ି ଆସୁନଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଏଭଳି ଚକ୍ରାନ୍ତ କରିଥିଲେ। ହେଲେ ଯୋଗାଣ ବିଭାଗର ଦେଖା ମିଳିନଥିଲା। ପ୍ରକୃତରେ ତେଲ ଟାଙ୍କିରୁ ତେଲ ସରିଥିଲା ନା ଜାଣି ଶୁଣି ବନ୍ଦ କରାଯାଇଥିଲା, ଏହାର ତଦାରଖ କରିନଥିଲା ଯୋଗାଣ ବିଭାଗ। ଲୋକେ ବାଧ୍ୟ ହୋଇ ଚଢ଼ା ଦରରେ ତେଲ କିଣିଥିଲେ। ଅପରପକ୍ଷେ, ରାଜଧାନୀରେ ତେଲକୁ ନେଇ ବିଚଳିତ ନ ହେବାକୁ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି। ସେ କହିଛନ୍ତି ‌ଯେ ଭୁବନେଶ୍ୱରରେ ୪୨ଟି ତେଲ ଟାଙ୍କିରୁ ମାତ୍ର ୨-୩ ଟି ଟାଙ୍କିରୁ ତେଲ ସରିଛି। ଗ୍ରାହକ ସାଧାରଣ ଭାବେ ଟିକେ ହଇରାଣ ହୋଇପାରନ୍ତି। ତେଲର ଅଭାବ ନାହିଁ। ତେଣୁ ଗ୍ରାହକ କୃତ୍ରିମ ଅଭାବ ସୃଷ୍ଟି ନକରନ୍ତୁ। ପ୍ରତିଦିନ ଭୁବନେଶ୍ୱରରେ କେବଳ ୩ ଲକ୍ଷ ୧୨ହଜାର ଲିଟର ପେଟ୍ରୋଲ ଏବଂ ୨ ଲକ୍ଷ ୧୫ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ। ସମ୍ପୂର୍ଣ୍ଣ ଓଡ଼ିଶାରେ ୩୬ ଲକ୍ଷ ଲିଟର ପେଟ୍ରୋଲ ଏବଂ ୮୫ ଲକ୍ଷ ଲିଟର ଡିଜେଲ ଆବଶ୍ୟକ ହୁଏ। ଦୂର ଦୂରାନ୍ତର ଜାଗାକୁ ପେଟ୍ରୋଲ ଡିଜେଲ ପହଞ୍ଚିବା ପାଇଁ ସମୟ ଲାଗିବ। ତେଣୁ ଆବଶ୍ୟକତା ଅନୁସାରେ ତେଲ ନେବାକୁ ଗ୍ରାହକଙ୍କୁ ସଞ୍ଜୟ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!