Oplus_131072
ଧର୍ମଶାଳା, ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ବେଲେଶ୍ବର ସ୍ଥିତ ବୈତରଣୀ ନଦୀରେ ନିର୍ମିତ ଜିଲାର ପ୍ରଥମ ବିଜୁ ସେତୁ ଶୁକ୍ରବାର ଦବିଯାଇଛି। ସେତୁ ମଝି ଭାଗରେ ଥିବା ତିନୋଟି ସ୍କାନ ଦବିଯିବାରୁ ଯାତାୟାତ ପ୍ରଭାବିତ ହୋଇଛି।ଶନିବାର ଅପରାହ୍ନରେ ଭାଜପାର ପୂର୍ବତନ ଜିଲା ସଭାପତି ଗୌତମ ରାୟ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।ଏହି ସେତୁ ଚଇନପୁର ଓ ପଣସା ପଞ୍ଚାୟତକୁ ସଂଯୋଗ କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ଯଦି ନଦୀରେ ବଡ଼ ବନ୍ୟା ଆସେ ତେବେ ଏହି ସେତୁ ଭୁଶୁଡ଼ିଯିବାର ଆଶଙ୍କା ରହିଛି। ଘଟଣାପରେ ଅତିରିକ୍ତ ଜିଲାପାଳ(ରାଜସୱ) ଶିବାନନ୍ଦ ସ୍ବାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅବିନାଶ ବାରିକ, ସହକାରୀ ଯନ୍ତ୍ରୀ ଆଶୁତୋଷ ସେଠୀ ପହଞ୍ଚି ଦବି ଯାଇଥିବା ସ୍ଥାନ ବୁଲି ଦେଖୁଛନ୍ତି । ସେତୁରେ ଚଳପ୍ରଚଳ ପାଇଁ ଗ୍ରାମବାସୀଙ୍କୁ ବାରଣ କରାଯାଇଛି। ସେତୁର ଦୁଇ ମୁଣ୍ଡରେ ବାଉଁଶ ବାଡ଼ା ଦିଆଯାଇ ବନ୍ଦ କରାଯାଇଛି। ତେବେ କ’ଣ ପାଇଁ ସେତୁ ଦବିଲା ସେ ନେଇ ସ୍ପଷ୍ଟ ହୋଇ ନାହିଁ । ବିଶେଷଜ୍ଞ ଦଳ ଆସି ତଦାରଖ କଲେ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ନଦୀ ପଠାରୁ ବାଲି ଚୋରାଚାଲାଣ ସହ ଦୈନିକ ଶହ ଶହ ଟ୍ରିପ ବେଆଇନ ବାଲି ବୋଝେଇ ହାଇୱା ସେତୁ ଦେଇ ଯାତାୟାତ କରିବା ଫଳରେ ସେତୁ ଦବିଲା ବୋଲି ଅଭିଯୋଗ ହେଉଛି।
