ମୁଖ୍ୟ ଖବର

ଛାତ୍ରୀ ଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ୩ ଯୁବକ

Spread the love

ନିମାପଡ଼ା : ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗାଁ ର ଜଣେ ଯୁକ୍ତ ଦୁଇ ଛାତ୍ରୀ ତାଙ୍କ ସାଙ୍ଗ ଘରକୁ ଯାଇ ଘର କୁ ଫେରୁଥିବାବେଳେ ୩ ଜଣ ଯୁବକ ଏକ ମୋଟର ସାଇକେଲ ରେ ଆସି ତାଙ୍କ ସହିତ କଥା ହୋଇ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଚଂପଟ ମାରିଥିଲେ। ଛାତ୍ରୀ ଜଣଙ୍କ ଚିତ୍କାର କରି ରାସ୍ତା ଉପରେ ପ୍ରାଣ ବିକଳରେ ଦୌଡ଼ିଥିଲେ।ଗ୍ରାମବାସୀ ମାନେ ତାଙ୍କ ଚିତ୍କାର ଶୁଣି ତାଙ୍କ ନିକଟରେ ପହଁଚି ତାଙ୍କ ଦେହ ରୁ ନିଆଁ ଲିଭାଇଥିଲେ। ଛାତ୍ରୀ ଙ୍କ ଗୋଡ଼, ହାତ, ମୁହଁ, ବେକ ଓ ଶରୀର ର ବିଭିନ୍ନ ସ୍ଥାନ ପୋଡ଼ି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବଳଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଛି। ଏହି ଘଟଣା ଏକ ତରଫା ପ୍ରେମ ବ୍ୟାପାର କୁ ନେଇ ଘଟିଥିବା ଶୁଣିବାକୁ ମିଳୁଛି। ଖବର ପାଇ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏ ବିଷୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହିତ କଥା ହୋଇ ଏମ୍ସ ରେ ଛାତ୍ରୀ ଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରିବା ସହିତ ଛାତ୍ରୀ ଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ତାଙ୍କ ପରିବାର ଲୋକ ମାନଙ୍କ ସହିତ କଥା ହୋଇ ସମସ୍ତ ଙ୍କୁ ସାନ୍ତ୍ଵନା ଦେଇଛନ୍ତି। ଏହି ଘଟଣା ର ନିରପକ୍ଷ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପୁରୀ ଏସ ପି ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପିପିଲି ଏସ ଡି ପି ଓ ଦେବାଶିଷ ମିଶ୍ର ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଦୁବୃର୍ତ୍ତ ମାନଙ୍କୁ ଗିରଫ କରିବାକୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ବିଜେଡ଼ି ନେତା ଦିଲ୍ଲୀପ ନାୟକ ଦାବି କରିଛନ୍ତି।ଏହି ଘଟଣା ସମଗ୍ର ପୁରୀ ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

error: Content is protected !!