ମୁଖ୍ୟ ଖବର

ଭିଜିଲାନ୍‌ସ ଫାଶରେ ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ: ୭କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ

Spread the love

ଭୁବନେଶ୍ବର: ରାଜଧାନୀରେ ରାଜପ୍ରାସାଦ ଭଳି ସୁଦୃଶ୍ୟ ଅଟ୍ଟାଳିକା। ଉପକଣ୍ଠରେ ଫାର୍ମହାଉସ୍‌। ସହରର ପ୍ରମୁଖ ଅଞ୍ଚଳରେ ପ୍ଲଟ୍‌। କୋଟିକୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ଅଧିକାରୀ ଜଣେ ସରକାରୀ ଯନ୍ତ୍ରୀ ଭିଜିଲାନ୍‌ସ ଫାଶରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୂଳ କରିଥିବା ଅଭିଯୋଗରେ ଆଜି ଭିଜିଲାନ୍‌ସ ଟିମ୍‌ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ସମେତ ବିଭିନ୍ନ ଜାଗାରେ ଚଢ଼ଉ କରିଛି।ଯନ୍ତ୍ରୀ ଜଗନ୍ନାଥ ବାବୁଙ୍କ କଳା କାରନାମା ଉପରେ ସମାଜ ଆଇନା ୨୦୨୩-୨୪ ରେ ଖବର ପ୍ରକାଶ କରି ସରକାର ନଜରକୁ ଆଣିଥିଲେ ମଧ୍ୟ୍ୟ ତାହା ଫାଇଲ ତଳେ ଚାପି ହୋଇ ରହିଯାଇଥିଲା, ଦୁର୍ନୀତିର ଫର୍ଦା ଫାସ କରୁଥିବା ସମାଜ ଆଇନା କୁ ଆହୁରି Bmc ର ବଡ଼ ବଡ଼ ବାବୁଙ୍କ କଳା କାରନାମା ର ତଥ୍ୟ ମିଳିଛି, କିନ୍ତୁ ଏବେ ରାଜଧାନୀ‌ରୁ ରାୟଗଡ଼ା ପର୍ଯ୍ୟନ୍ତ ସବୁଠି ତାଙ୍କର ଅଚଳାଚଳ ସମ୍ପତ୍ତି ଥିବା ଜଣାପଡ଼ିଛି। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ବିପୁଳ ଟଙ୍କା ଓ ସୁନାଗହଣା ମିଳିଛି। ସେହିଭଳି ଫାର୍ମହାଉସ୍‌ରୁ ହରିଣ ଶିଂଘ ଜବତ କରାଯାଇଛି। ଘରୁ ଏକ ବନ୍ଧୁକ ଜବତ କରାଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ ନି‌ର୍ଦେଶକ୍ରମେ ଭିଜିଲାନ୍ସର ୪ଟି ଟିମ୍‌ ଆଜି ଶ୍ରୀ ପଟ୍ଟନାୟକଙ୍କ ଭୁବନେଶ୍ବରସ୍ଥିତ ବିଏମ୍‌ସି କାର୍ଯ୍ୟାଳୟ, ବଡ଼ଗଡ଼ସ୍ଥିତ ଘର ଓ ରାୟଗଡ଼ାସ୍ଥିତ ପୈତୃକ ଘରେ ଚଢ଼ଉ କରି ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।ବୁଧବାର ସକାଳେ ଭିଜିଲାନ୍ସ ଟିମ୍‌ ଏକକାଳୀଳ ୪ଟି ଜାଗାରେ ଚଢ଼ଉ କରିଥିଲା। ଶ୍ରୀ ପଟ୍ଟନାୟକଙ୍କ ବଡ଼ଗଡ଼ ଅଞ୍ଚଳରେ ଥିବ‌ା‌ ୪୫୬୦ ବର୍ଗଫୁଟ୍‌ରେ ନିର୍ମିତ ୩ମହଲା କୋଠାର ମୂଲ୍ୟ ୪ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଗୁଣୁପୁରରେ ଥିବା ଦୁଇ ମହଲା କୋଠାର ମୂଲ୍ୟ ୫୦ଲକ୍ଷରୁ ଊର୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି। ବାଲିଅନ୍ତା ବ୍ଲକ୍‌ ରଣପୁରରେ କୋଟିଏ ଟଙ୍କା ମୂଲ୍ୟର ଜମିରେ ଫାର୍ମହାଉସ୍‌ ରହିଛି। ରାଜଧାନୀର ପ୍ରମୁଖ ଅଞ୍ଚଳରେ ଦେଢ଼ କୋଟି ଟଙ୍କା ମୂଲ୍ୟର ୩ଟି ପ୍ଲଟ୍‌ ଠାବ କରାଯାଇଛି। ସେହିଭଳି ୮୦ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ, ବୀମା ଓ ବଣ୍ଡ୍‌ ମଧ୍ୟ ଠାବ ମିଳିଛି। ପାଖାପାଖି ୪୬୦ଗ୍ରାମରୁ ଅଧିକ ଓଜନର ସୁନା ଗହଣା, ଦାମୀ ଘଣ୍ଟା, ରୁପା ଟଙ୍କା ଓ ୭ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଗୋଟିଏ କାର୍‌ ଓ ୨ଟି ବାଇକ୍‌ ରହିଛି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ, ତାଙ୍କୁ କେଉଁମାନେ ଟଙ୍କା ଦେଉଥିଲେ, ତାଙ୍କ ଚାକିରି ସମୟରେ ହୋଇଥିବା ବଡ଼ବଡ଼ ପ୍ରକଳ୍ପରେ ଦୁର୍ନୀତି ହୋଇଛି କି ନାହିଁ, ସେ ସମସ୍ତ ଦିଗକୁ ନେଇ‌ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ବନ୍ଧୁକ ଲାଇସେନ୍‌ସ ନେଇ ତନାଘନାବାବୁ ଫାର୍ମହାଉସ୍‌ରେ ବନ୍ଧୁକ ରଖୁଥିଲେ। ଜବତ ହୋଇଥିବା ବନ୍ଧୁକ ପାଇଁ ବାବୁଙ୍କ ପାଖରେ ଲାଇସେନ୍ସ ଅଛି ନା ନାହିଁ, ସ୍ପଷ୍ଟ ହୋଇନାହିଁ। ଲାଇସେନ୍ସ ନଥିଲେ, ବେଆଇନ ଭାବେ ବନ୍ଧୁକ ରଖିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି। ୩ଲକ୍ଷର ଆକ୍ବାଗାର୍ଡବାବୁ ଏମିତି ସେମିତି ପାଣି ପିଉନଥିଲେ। ଘରେ ରହିଥିଲା ଅତ୍ୟାଧୁନିକ ଆକ୍ବାଗାର୍ଡ, ଯାହାର ଦାମ ୩ଲକ୍ଷ ଟଙ୍କାରୁ ଅଧିକ‌ ହେବ। ସୌକିନ ମିଜାଜ ନିର୍ବାହୀ ଯନ୍ତ୍ରୀ ବେଶ୍‌ ସୌକିନ ମିଜାଜ୍‌ର। ଘରକୁ ରାଜମହଲ ଭଳି ନିର୍ମାଣ କରିଥିଲେ। ଇଣ୍ଟେରିୟର୍‌କୁ ଶାଗୁଆନ, ଶିଶୁ, ପିଆଶାଳ ଭଳି ଦାମୀ କାଠ ଓ ପିତ୍ତଳ ସାମଗ୍ରୀରେ ସଜେଇଛନ୍ତି। ଘରେ ସ୍ବିମିଂ ପୁଲ ଓ ଫୁଲ ବଗିଚା କରିଛନ୍ତି। ଏହାଛଡ଼ା ବାବୁଙ୍କର ବ୍ରାଣ୍ଡ ଘଣ୍ଟା ପ୍ରତି ମଧ୍ୟ ବେଶ୍‌ ଆଗ୍ର ଥିଲା। ଗୋଟିଏ ଗୋଟିଏ ଘଣ୍ଟାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ। ‌ସେହିଭଳି ଘଣୁ ଦାମୀ ମଦ ଓ ହୁକ୍କା ବି ମିଳିଛି। ରୁପା ଟଙ୍କାପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ ଘରୁ ରୁପା ନିର୍ମିତ ଟଙ୍କା ଜବତ କରାଯାଇଛି। ତାଙ୍କ ରାଜମହଲ ସଦୃଶ ଘରୁ ରୁପାର ୧୦୦ ଟଙ୍କିଆ ଠାରୁ ଆରମ୍ଭ କରି ୨୦୦୦ ଟଙ୍କିଆ ନୋଟ୍‌ ଜବତ କରାଯାଇଛି।

ରଣପୁରରେ ଇନ୍ଦ୍ରଭୂବନ ଭଳି ଫାର୍ମହାଉସ୍‌ବାଲିଅନ୍ତା: ଭିଜିଲାନ୍‌ସ ପଞ୍ଝାରେ ପଡ଼ିଥିବା ବିଏମ୍‌ସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ବାଲିଅନ୍ତା ରଣପୁରସ୍ଥିତ ଫାର୍ମହାଉସ୍‌ରେ ଆଜି ଭୋର୍‌ରୁ ଚଢ଼ଉ କରାଯାଇଥିଲା। ଭୋର୍‌ ପ୍ରାୟ ୪ଟା ସମୟରେ ଭିଜିଲାନ୍ସ ଡିଏସ୍‌ପି ବ୍ରଜକିଶୋର ସାହୁଙ୍କ ନେତୃତ୍ବରେ ଏକ ୧୦ଜଣିଆ ଟିମ୍‌ ଚଢ଼ଉ କରିଥିଲେ। ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପ୍ରାୟ ୯ଘଣ୍ଟା ଧରି ଭିଜିଲାନ୍‌ସ ଟିମ୍‌ ଏହି ଫାର୍ମହାଉସ୍‌ରେ ଖୋଳତାଡ଼ କରିଥିଲେ। ଇନ୍ଦ୍ରଭୂବନ ଭଳି ଏହି ଫାର୍ମହାଉସ୍‌ ଦେଖି ଭିଜିଲାନ୍‌ସ ଟିମ୍‌ ବିସ୍ମିତ ହୋ‌ଇପଡ଼ିଛି। ଅଢ଼େଇ ଏକର ପରିମିତ ଜମିରେ ଠିଆ ହୋଇଥିବା ଏହି ଫାର୍ମହାଉସ୍‌ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପତ୍ନୀ ଶୋଭାରାଣୀଙ୍କ ନାମରେ ରହିଛି। ୨୦୨୦ ମସିହାରେ ରଣପୁର ଗ୍ରାମର ଚାଷ ଜମି କିଣି ଏହି ଫାର୍ମହାଉସ୍‌ କରାଯାଇଛି। ବଡ଼ କଥା ହେଉଛି, ରଣପୁର ଗ୍ରାମ୍ୟ ଜଙ୍ଗଲର ଗଛ କାଟି ଏହି ଫାର୍ମହାଉସ୍‌କୁ ରାସ୍ତା ନିଆଯାଇଛି। ସେତେବେଳେ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ନେଇ ଗଛ କଟାକୁ ବିରୋଧ କରାଯାଇଥିଲେ ହେଁ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରଭାବ ଆଗରେ ଗ୍ରାମବାସୀଙ୍କ ଆନ୍ଦୋଳନ କାମ ଦେଇନଥିଲା। ଚନ୍ଦନ, ଅଳେଇଚ, ଡାଳଚିନି, ତେଜପତ୍ର, ହରିଡ଼ା, ଆମ୍ବ, ନଡ଼ିଆ ଓ ଗୁଆ ଆଦି ମୂଲ୍ୟବାନ ଗଛ ରହିଛି। ପ୍ରାୟ ସାଢ଼େ ୫ହଜାର ବର୍ଗଫୁଟ୍‌ ପରିମିତ ପୁଷ୍କରିଣୀରେ ମାଛଚାଷ କରାଯାଉଛି ଏବଂ ୩୦ଟି ହଂସ ଓ ୧୦ଟି ବତକ ରହିଛନ୍ତି। ୬ ବଖରା ବିଶିଷ୍ଟ ଦୁଇ ମହଲା କୋଠା ଘରଟି ବେଶ୍ ଆକର୍ଷଣୀୟ। ଘର ଭିତରେ ଦାମୀ ଆସବାବପତ୍ର ରହିଛି। ଘର କାନ୍ଥରେ ଟଙ୍ଗାହୋଇଥିବା ହରିଣ ଶିଂଘ ଜବତ କରାଯାଇଛି। ଏହି ଚଢ଼ଉରେ ଭିଜିଲାନ୍‌ସ ଟିମ୍‌ ସହ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କୁଶ କୁମାର ଅଗ୍ରୱାଲ, ଭିଜିଲାନ୍ସ ଏସିଏଫ୍‌ ସାଧନା ସ୍ୱାଇଁ, ଚନ୍ଦକା ବନପାଳ ସତ୍ୟ ନାରାୟଣ ପଟ୍ଟନାୟକ ଓ ମତ୍ସ୍ୟ ବିଭାଗ ଅଧିକାରୀମାନେ ସାମିଲ ହୋଇଥିଲେ।ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ପଦୋନ୍ନତି, ଗୁଣପୁରରୁ ବିଏମ୍‌ସିଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଟିମ୍ ଆଜି ଅଚାନକ ଚଢ଼ଉ କରିଛନ୍ତି। ସମ୍ପତ୍ତି ଯାଞ୍ଚ ଜାରି ରହିଛି ଏବଂ ପ୍ରାୟ ୭କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଲାଣି। ଫଳରେ ଶ୍ରୀ ପଟ୍ଟନାୟକଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। ଶ୍ରୀ ପଟ୍ଟନାୟକଙ୍କ ଘର ରାୟଗଡ଼ା ଜିଲ୍ଲା ଗୁଣୁପୁରରେ। ସେ ଗୁଣପୁର ଓ ବ୍ରହ୍ମପୁରରେ ପାଠପଢ଼ା ଶେଷ କରିଛନ୍ତି। ବ୍ରହ୍ମପୁର ଏସ୍‌ଏମ୍‌ଆଇଟିରୁ ଇଂଜିନିୟରିଂ ଡିଗ୍ରି ଶେଷ କରିବା ପରେ ସେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ଗୁଣୁପୁର ଏନ୍‌ଏସି(ବର୍ତ୍ତମାନ ପୌରପାଳିକା)ରେ କନିଷ୍ଠ ଯନ୍ତ୍ରୀ ଭାବେ ତାଙ୍କୁ ପ୍ରଥମ ନିଯୁକ୍ତି ମିଳିଥିଲା। ୧୯୯୨ରୁ ୨୦୦୬ ମସିହା ପର୍ଯ୍ୟନ୍ତ ସେ ଗୁଣୁପୁର ଏନ୍‌ଏସିରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ। ଏହା ପରେ ସହକାରୀ ଯନ୍ତ୍ରୀ ଭାବେ ସେ ବ୍ରହ୍ମପୁର ପୌରପାଳିକାକୁ ବଦଳି ହୋଇଥିଲେ। ୨୦୧୧ ମସିହାରେ ଭୁବନେଶ୍ବର ମହାନଗର ନିଗମକୁ ସେ ସହକାରୀ ଯନ୍ତ୍ରୀ ଭାବେ ବଦଳି ହୋଇ ଆସିଥିଲେ। ୨୦୧୬ ମସିହାରେ ତାଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ମିଳିଥିଲା। ୨୦୨୪ ଅକ୍ଟୋବରରେ ତାଙ୍କୁ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ମିଳିଥିଲା। ସେବେଠୁ ସେ ଭୁବନେଶ୍ବର ମହାନଗର ନିଗମର ନିର୍ବାହୀ ଯନ୍ତ୍ରୀ ଭାବେ କାମ କରି ଆସୁଥିଲେ। ଶ୍ରୀ ପଟ୍ଟନାୟକ ପୁରୁଣା ଭୁବନେଶ୍ବର ଓ ଆଖପାଖ ଅଞ୍ଚଳ ପାଇଁ କାମ କରୁଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!