ଆଇଏଏସ୍ ଅଧିକାରୀ ଧୀମାନ ଚକ୍ମାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
କଟକ: ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଆଇଏଏସ୍ ଅଧିକାରୀ ଧୀମାନ ଚକ୍ମାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୫ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଶ୍ରୀ ଚକ୍ମାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିବେ। ଜାମିନରେ ଛାଡ଼ ପାଇବା ପରେ ସେ ଅଦାଲତଙ୍କ ବିନା ଅନୁମତିରେ ଭାରତ ବାହାରକୁ ଯାଇ ପାରିବେ ନାହିଁ। ତଦନ୍ତରେ ସହଯୋଗ କରିବେ। ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ସେ ତାଙ୍କ ନିକଟରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ବେଳେ ଧୀମାନ ଚକ୍ମା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ଶ୍ରୀ ଚକ୍ମା ଜଣେ କ୍ରସର ମାଲିକଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହା ସହିତ ତାଙ୍କ ବାସ ଭବନରୁ ୪୭ ଲକ୍ଷ ୪୭ ହଜାର ୬ଶହ ଟଙ୍କା ଭିଜିଲାନ୍ସ ଜବତ କରିଥିଲା। ଭବାନୀପାଟଣା ଭିଜିଲାନ୍ସ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଗତ ଜୁନ ୧୯ରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ।
