ମୁଖ୍ୟ ଖବର

ବିଜେଡିରୁ ସସ୍‌ପେଣ୍ଡ ହେଲେ ବାଇଆଁ ଓରଫ ଅମରେଶ ଜେନା

Spread the love

ଭୁବନେଶ୍ୱର,୨୭।୭: ବିଜେଡିରେ ବଡ଼ ହଲଚଲ। ନବୀନ ନେଲେ ବଡ଼ ଆକ୍ସନ। ବଳାତ୍କାର ମାମଲାରେ ଅମରେଶ ଜେନା ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି ନବୀନ। ଅମରେଶ ଗିରଫ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସଭାପତି।ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା (ନଂ. ୩୯୪/୨୦୨୫) ରୁଜୁ ହୋଇଥିଲା।ଗତକାଲି ଶନିବାର ଲକ୍ଷ୍ମୀସାଗର ପୋଲିସ ଅମରେଶଙ୍କୁ ଫେରାର ହେବାରେ ସହାୟତା କରିଥିବା ଅଭିଯୋଗରେ ତାଙ୍କର ୫ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଏମାନେ ହେଲେ ବିବେକ କୁମାର ସ୍ୱାଇଁ (୨୯), ବିକ୍ରମ ମହାନ୍ତି (୪୨), ଦେବେନ୍ଦ୍ର କୁମାର ଭୋଳ ଓରଫେ ବୁଲୁ (୪୫), ସୁମନ କୁମାର ସାହୁ (୨୭) ଏବଂ ରାଜୀବ ଚମ୍ପତି (୪୫)। ଏହି ଅଭିଯୁକ୍ତମାନଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ଓ POCSO ଆଇନରେ ବିଭିନ୍ନ ଧାରାରେ ଅଭିଯୋଗ ଲଗାଯାଇ ଝାରପଡ଼ା ଜେଲକୁ ପଠାଯାଇଛି।ଅଭିଯୋଗ ଅନୁଯାୟୀ, ୨୦୨୩ ଜୁନ୍‌ରେ ରଜ ସମୟରେ ଅମରେଶ ଜେନା ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୨୪ ଫେବୃଆରୀରେ ଯୁବତୀ ଗର୍ଭବତୀ ହେବା ପରେ ଅମରେଶ ତାଙ୍କୁ ଗର୍ଭନଷ୍ଟ କରିବାକୁ ବାଧ୍ୟ କରିଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଅମରେଶ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ ଏବଂ ଏହି ସମ୍ପର୍କ ବିଷୟରେ କାହାକୁ ନ କହିବାକୁ ଚେତାବନୀ ଦେଇଥିଲେ।ଭୁବନେଶ୍ୱର ଡେପୁଟି କମିଶନର ଅଫ ପୋଲିସ (ଡିସିପି) ଜଗମୋହନ ମୀନା କହିଛନ୍ତି, ଅମରେଶ ଜେନା ଫେରାର ଥିଲେ, କିନ୍ତୁ ବାଲେଶ୍ୱରରୁ ତାଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଛି, ଏବଂ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ହୋଇଛି। ତାଙ୍କ ବୟାନ ମାଜିଷ୍ଟ୍ରେଟ ଆଗରେ ରେକର୍ଡ କରାଯାଇଛି।ଅମରେଶଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଏବଂ POCSO ଆଇନର ଧାରା ୬ ଅନୁଯାୟୀ ଅଭିଯୋଗ ରୁଜୁ ହୋଇଛି। ଏହାସହ ଅମରେଶଙ୍କ ବଡ଼ ଭାଇ ସମରେଶ ଜେନାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ପଦରୁ ହଟାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!