ମୁଖ୍ୟ ଖବର

ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା: ପୁଣି ୨ ଅଭିଯୁକ୍ତ ଗିରଫ

Spread the love

ଭୁବନେଶ୍ବର: ବହୁଚର୍ଚ୍ଚିତ ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ପୁଣି ୨ଜଣଙ୍କୁ ବାନ୍ଧିଛି। ଅଭିଯୁକ୍ତମାନେ ହେଲେ ମୁନା ମହାନ୍ତି ଓ ଲୋକନାଥ ସାହୁ। ପୁଲିସ କଟକଜିଲ୍ଲା ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମ ତଳସାହିର ସାଧୁଆ ମହାନ୍ତିଙ୍କ ପୁଅ ମୁନା ମହାନ୍ତି ଏବଂ ଆଉ ଜଣେ ଉକ୍ତ ଗ୍ରାମ ଗୋଡି ସାହିର ସ୍ବର୍ଗତ ଭଗବାନ ସାହୁଙ୍କ ପୁଅ ଲୋକନାଥ ସାହୁ ଗିରଫ କରିଛି। ମୁନା ମହାନ୍ତିର ପିତା ସାଧୁଆ ଦିନ ମଜୁରିଆ ଭାବେ କାମ କରନ୍ତି। ପୁଅ ଦଲାଲ କାମ କରି ଗାଁରେ ଅଟାଳିକା ନିର୍ମାଣ କରିଥିବା ବେଳେ ନାମୀଦାମୀ କାର ବ୍ୟବହାର ସହ ଓଡ଼ିଶା ବାହାରେ ବିଳାସମୟ ଜୀବନ ବିତାଉଥିଲା। ଚଳିତ ମାସ ୫ ଓ ୬ ତାରିଖ ଦିନ ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ହେବାର ଥିଲା। ଏଥି ପାଇଁ ପରୀକ୍ଷାର୍ଥୀମାନେ ପ୍ରବେଶ ପତ୍ର ପାଇସାରିଥିଲେ। ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରିଥିଲେ। ତେବେ ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି। ପୁଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବାକୁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ବ ମିଳିଛି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନିଲ ବେଉରିଆ।ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି। କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ତନାଘନା କଲାଣି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରୢାକେଟ୍‌ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସିଲିକନ୍‌ ଟେକ୍‌ ଲ୍ୟାବ୍‌ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି। ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍‌ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସ୍‌କୁ ସିଲ୍‌ କରିଛି।ଗତମାସ ପୁଲିସ ଚାକିରିରେ ଜାଲିଆତି ସୁରକ୍ ମିଳିଥିଲା। ପ୍ରଶ୍ନପତ୍ର ଲିକ୍ ବଡ଼ ଯୋଜନା ପଣ୍ଡ କରିଥିଲା ବ୍ରହ୍ମପୁର ପୁଲିିସ। ​​​​​​​ସେପ୍ଟେମ୍ବର ୨୯ ତାରିଖ ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଥିଲା ପୁଲିସ। ତେବେ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାନ୍ତା। ପ୍ରଶ୍ନ ଉତ୍ତର ଅଭ୍ୟାସ ପରେ ସେମାନଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଅର୍ଥ ପରୀକ୍ଷାର୍ଥୀଙ୍କ ଠାରୁ ନିଆଯାଇଥିବା ଚର୍ଚ୍ଚା ହେଉଛି। ହେଲେ ସେମାନେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ଆଣିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!