ରାଜ୍ୟ

ତାଳଦା ପଞ୍ଚାୟତରେ ପୋଲିସ ଫାଣ୍ଡି ପ୍ରତିଷ୍ଠାରେ ଅହେତୁକ ବିଳମ୍ବ: ଉତ୍କଣ୍ଠା ରେ ତାଳଦା ପଂଚାୟତବାସୀ

Spread the love

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗା ଥାନା ଅଧୀନ ତାଳଦା ଗ୍ରାମ ପଞ୍ଚାୟତ (ଜି.ପି.)ରେ ପୋଲିସ ଫାଣ୍ଡି ସ୍ଥାପନାରେ ବର୍ଷ ବର୍ଷ ଧରି ପ୍ରଶାସନର ଘୋର ଅବହେଳା ଯୋଗୁଁ ସ୍ଥାନୀୟ ଲୋକଙ୍କ ମୌଳିକ ନ୍ୟାୟ ଅଧିକାର ଉଲ୍ଲଂଘନ ହେଉଛି। ଅଧ୍ୟାପକ ଡ଼. ଲକ୍ଷ୍ମୀଧର ବିଶ୍ୱାଳ ଗତ ଜାନୁଆରୀ ୧୫, ୨୦୨୪ ରେ ଜନସ୍ୱାର୍ଥ ପିଟିସନ୍ ମାଧ୍ୟମରେ ପ୍ରଥମ ଦାବି କରିବା ପରେ ଫେବୃଆରୀ ୧୩, ୨୦୨୪ ରେ ଜାତୀୟ ମାନବ ଅଧିକାର କମିଶନ (NHRC) ଏହି ମାମଲାକୁ ବିଚାର କରି ଆଠ ସପ୍ତାହ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ପ୍ରଶାସନ ସେହି ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା କରିଛି। ବାରମ୍ବାର ସ୍ମାରକପତ୍ର ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଯୋଗୁଁ ଅଞ୍ଚଳଟି ବେଆଇନ୍ ବାଲି ଖନନ, ଗୋମାତା ଚୋରା ଚାଲାଣ ଏବଂ ଡ୍ରଗ୍ ମାଫିଆଙ୍କର ଏକ ସୁରକ୍ଷିତ ଆଶ୍ରୟସ୍ଥଳୀରେ ପରିଣତ ହୋଇଛି। ଆରଟିଆଇ ତଥ୍ୟ (୧୧.୧୧.୨୦୨୨) ଅନୁଯାୟୀ, ଦୂରତା ଯୋଗୁଁ ଅପରାଧୀଙ୍କୁ ଧରିବା ଏବଂ ଚାର୍ଜସିଟ୍ ଦାଖଲ କରିବାରେ ବଡ଼ ବିଳମ୍ବ ହେଉଛି । ୨୦୧୦ ରୁ ୨୦୨୨ ମଧ୍ୟରେ ମୋଟ ୭୯ଟି ମାମଲା ରୁଜୁ ହୋଇଥିବାବେଳେ, କେବଳ ୨୦୨୨ ମସିହାରେ ୨୦ଟି ମାମଲା ରୁଜୁ ହୋଇଛି| ଜାତୀୟ ମାନବିକ ଅଧିକାର ଆୟୋଗ ଙ୍କ ନିର୍ଦ୍ଧେଶରେ ଡ଼. ବିଶ୍ୱାଳ ଙ୍କ ପିଟିସନ ଉପରେ ଅତିରିକ୍ତ ଏସ୍‌ପି, ପୁରୀଙ୍କ ଦ୍ୱାରା ହୋଇଥିବା ତଦନ୍ତ ରିପୋର୍ଟ ମଧ୍ୟ ତାଳଦା ପଂଚାୟତ ଅଞ୍ଚଳରେ ଅଧିକ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ହୋଇଥିବା ଅଭିଯୋଗକୁ ସତ୍ୟ ବୋଲି ପ୍ରମାଣିତ କରିଛି| ଏହି ତଦନ୍ତ ଉପରେ ଭିତ୍ତି କରି ଏସ୍‌ପିଙ୍କ କାର୍ଯ୍ୟାଳୟ ତାଳଦା, ଏଡବାଂଶ, ଦିହାକରଡ଼ା, ପାଇଖାଲ ଓ ରିସୋଲ୍ ସମେତ ୫ଟି ରାଜସ୍ୱ ଗ୍ରାମ ପାଇଁ ପୋଲିସ୍ ଫାଣ୍ଡି ଖୋଲିବାକୁ ମାର୍ଚ୍ଚ ୧୩, ୨୦୨୫ ରେ ପୁରୀ ଜିଲ୍ଲାପାଳଙ୍କ ନିକଟକୁ ପ୍ରସ୍ତାବ (ପତ୍ର ସଂଖ୍ୟା: ୭୮୪/E) ପଠାଇଥିଲେ । କିନ୍ତୁ ଏହି ପ୍ରସ୍ତାବ ଦିଆଯିବାର ପ୍ରାୟ ନଅ ମାସ ବିତିଯାଇଥିଲେ ମଧ୍ୟ ଫାଣ୍ଡି ସ୍ଥାପନା ହୋଇପାରି ନାହିଁ , ଯାହାକି ଜାତୀୟ ମାନବ ଅଧିକାର କମିଶନଙ୍କ ର ନିର୍ଦ୍ଦେଶର ଖୋଲାଖୋଲି ଉଲ୍ଲଂଘନ ଏବଂ ପ୍ରଶାସନର ଦାୟିତ୍ୱହୀନତାକୁ ଦର୍ଶାଉଛି । ଫଳସ୍ୱରୂପ, ସାଧାରଣ ଲୋକେ ଏପର୍ଯ୍ୟନ୍ତ ଅପରାଧିକ ଅଭିଯୋଗ ଦାଖଲ କରିବାକୁ ପ୍ରାୟ ୧୨ କିଲୋମିଟର ଦୂର ଅସ୍ତରଙ୍ଗା ଥାନାକୁ ଯିବାକୁ ବାଧ୍ୟ ହେଉଛନ୍ତି, ଯାହା ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି । ଆଜି, ଡିସେମ୍ବର ୧୬, ୨୦୨୫ ରେ ଡ଼. ବିଶ୍ୱାଳ ପୁନର୍ବାର ସ୍ମାରକପତ୍ର ଦେଇଛନ୍ତି|

Leave a Reply

Your email address will not be published. Required fields are marked *

error: Content is protected !!