କନ୍ଧମିରିଗିରୁ କେନ୍ଦୁପଲ୍ଲୀ ରାସ୍ତା ଅବସ୍ଥା ଶୋଚନୀୟ,କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡିବ କେବେ?
ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ ରୟତି ଢୋଲମରା ପଞ୍ଚାୟତର କନ୍ଧମିରିଗି ଗ୍ରାମରୁ ନିକଟସ୍ଥ କେନ୍ଦୁପଲ୍ଲୀ ଗ୍ରାମକୁ ଯାତାୟତ ନିମନ୍ତେ ଭଲ ରାସ୍ତା ଟିଏ ନଥିବାରୁ ଅଞ୍ଚଳବାସୀ ବର୍ଷ ତମାମ ମାଟି ରାସ୍ତା ଦେଇ ଯାତାୟତ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଉକ୍ତ ୨ଟି ଗ୍ରାମକୁ ସଂଯୋଗ କରୁଥିବା ମାଟି ରାସ୍ତାର ଉନ୍ନତିକରଣ ଦିଗରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଆଦୌ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ଦିର୍ଘ ବର୍ଷ ତଳେ ରାସ୍ତା ସିମେଣ୍ଟ କଂକ୍ରିଟ ହେବା ଉଦ୍ଦେଶ୍ୟରେ ମେଟାଲିଂ କରାଯାଇଥିଲା । ମାତ୍ର ଠିକଣା ସମୟରେ ରାସ୍ତା କାର୍ଯ୍ୟ ନହେବା ଯୋଗୁଁ ରାସ୍ତା ସାରା ମେଣ୍ଟାଲ ଉପରକୁ ଉଠିଥିବା ନଜରକୁ ଆସୁଛି। ଫଳରେ ଦୈନିକ ଛୋଟବଡ ଦୁର୍ଘଟଣା ଓ ଅଘଟଣ ଘଟୁଥିବା ଜଣା ପଡ଼ିଛି। ସେହିପରି ବର୍ଷାଦିନେ ରାସ୍ତା ସାରା କାଦୁଅ ପଙ୍କରେ ପୋତି ହୋଇପଡୁଛି । ଦୈନିକ ସେହି ରାସ୍ତା ଦେଇ ଛାତ୍ରୀ ଛାତ୍ର କନ୍ଧମିରିଗି ଆଶ୍ରମ ବିଦ୍ୟାଳୟକୁ ଯାତାୟତ କରୁଥିବା ବେଳେ ରାସ୍ତାର ଦୂରାବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସେହିପରି ନିକଟରେ ଅବସ୍ଥିତ ଅଲେଖ ମହିମା ଆଶ୍ରମକୁ ମଧ୍ୟ ଉକ୍ତ ରାସ୍ତାଦେଇ ସାଧୁସନ୍ଥଙ୍କ ଠାରୁ ଜନସାଧାରଣ ବିଭିନ୍ନ ସମୟରେ ଯାତାୟତ କରୁଛନ୍ତି ।ରାସ୍ତାର ଉନ୍ନତିକରଣ ଦାବି ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ଜଣାପଡିଛି । ଏଥିପ୍ରତି ଖଣ୍ଡପଡ଼ା ବ୍ଳକ ଉନ୍ନୟନ ଅଧିକାରୀ ଓ ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି। (ଫଟୋ ପଠାଇଛି)
