ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିରେ ଦ. ଆଫ୍ରିକା
ଅହମଦାବାଦ, : ପେସରଙ୍କ ଘାତକ ବୋଲିଂ ଏବଂ ଅଧିନାୟକ ଏଡେନ ମାରକ୍ରମଙ୍କ ଅପରାଜିତ ୮୧ ରନ୍ର ଇନିଂସ ବଳରେ ଗୁରୁବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍ର ସୁପର-୮ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୯ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଧାର୍ଯ୍ୟ ୧୭୭ ରନର ଟାର୍ଗେଟକୁ ଦ. ଆଫ୍ରିକା ମାତ୍ର ୧୬.୧ ଓଭରରେ ୧ ଉଇକେଟ ହରାଇ ହାସଲ କରି ନେଇଥିଲା।ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ରେ ପହଞ୍ଚିବା ପ୍ରାୟ ସ୍ପଷ୍ଟ ହୋଇଯାଇଛି ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜର ଶୋଚନୀୟ ପରାଜୟ ଡିଫେଣ୍ଡିଂ ଚାମ୍ପିୟନ ଭାରତୀକୁ ଏକ ବଡ଼ ସୁଯୋଗ ପ୍ରଦାନ କରିଛି। ଏହି ମ୍ୟାଚ୍ରେ ଜାସନ ହୋଲ୍ଡର ଓ ରୋମାରିଓ ଶେଫର୍ଡ ଅଷ୍ଟମ ଉଇକେଟରେ ୮୯ ରନ ଯୋଡ଼ିଥିଲେ, ଯାହାକି ଟି୨୦ ବିଶ୍ୱକପ୍ ଇତିହାସରେ ଅଷ୍ଟମ ଉଇକେଟ ପାଇଁ ସର୍ବାଧିକ।ଜିତି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ମାରକ୍ରମ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ କାଗିସୋ ରାବାଡା (୨/୨୨) ଓ ଲୁଙ୍ଗି ଏନ୍ଗିଡି (୩/୩୦) ଉଚିତ ସାବ୍ୟସ୍ତ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ୧୦.୨ ଓଭରରେ ୮୩ ରନରେ ୭ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଜାସନ ହୋଲ୍ଡର ୩୧ ବଲରେ ୪୯ (୪ ଚୌକା ଓ ୩ ଛକା) ଓ ରୋମାରିଓ ଶେଫର୍ଡ ୩୭ ବଲରେ ଅପରାଜିତ ୫୨ (୩ ଚୌକା ଓ ୪ ଛକା) ରନ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ।ଦୁହେଁ ୮ମ ଉଇକେଟରେ ରେକର୍ଡ ୮୯ ରନ ଯୋଡ଼ିଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୭୬ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକାକୁ ଅଧିନାୟକ ମାରକ୍ରମ ଓ କ୍ୱିଣ୍ଟନ ଡି କକ୍ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ୮ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୯୫ ରନରେ ପହଞ୍ଚାଇଥିଲେ। ଅଷ୍ଟମ ଓଭରରେ ଡି କକ୍ଙ୍କୁ ଆଉଟ୍ କରି ରୋଷ୍ଟନ ଚେଜ ଓ୍ବେଷ୍ଟଇଣ୍ଡିଜ୍କୁ ବହୁ ପ୍ରତୀକ୍ଷିତ ବ୍ରେକ ଥ୍ରୁ ଆଣି ଦେଇଥିଲେ। ହେଲେ ଡି କକ୍ ଆଉଟ୍ ହେବା ପୂର୍ବରୁ ୨୪ ବଲରେ ୪ ଲେଖାଏ ଚୌକା ଓ ଛକା ବଳରେ ୪୭ ରନ କରିଥିଲେ। ଏହାପରେ ମାରକ୍ରମ ଓ ରିଆନ ରିକଲଟନ ଦଳକୁ ଜିତିବା ପାଇଁ ଆବଶ୍ୟକ ଥିବା ରନ ସଂଗ୍ରହ କରି ନେଇଥିଲେ। ଦୁଇ ବ୍ୟାଟର ଅବିଭାଜିତ ଦ୍ୱିତୀୟ ଉଇକେଟରେ ୮୨ ରନ ଯୋଡ଼ିଥିଲେ। ଫଳରେ ଦ. ଆଫ୍ରିକା ୧୬.୧ ଓଭରରେ ୧୭୭ ରନ କରି ନେଇଥିଲା। ମାରକ୍ରମ ୪୬ ବଲରେ ୮୨ (୭ ଚୌକା ଓ ୪ ଛକା) ଓ ରିକଲଟନ ୨୮ ବଲରେ ୪୫ (୪ ଚୌକା ଓ ୨ ଛକା) ରନ କରି ଅପରାଜିତ ରହିଥିଲେ
