ବରୀ ବ୍ଲକ ରତାଳଙ୍ଗରେ ବନ୍ୟା ବିଭୀଷିକା
ବରୀ (ଶରତ ମଲିକଙ୍କ ରିପୋର୍ଟ ),: ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ବୈତରଣୀ ଓ ନାଳରେ ପ୍ରଚୁର ପରିମାଣରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଉକ୍ତ ନଦୀ ଓ ନାଳର ଲେଉଟାଣି ପାଣିରେ ବରୀ ବ୍ଲକ ରତାଳଙ୍ଗ ପଞ୍ଚାୟତ ଓ ଉଦୟନାଥ ପୁର ପଞ୍ଚାୟତ , କହରା ଗଣ୍ଡ, ହାଟ ପଡ଼ିଆ, ଗଉଡ଼ୁଲୋକା, ମଠ ସାହି ସମେତ ଅନେକ ଗ୍ରାମରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଗ୍ରାମବାସୀ ରମେଶ ମଲିକ ଓ ରବୀନ୍ଦ୍ର କୁମାର ମଲିକଙ୍କ କହିବା କଥା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ପାଣି ମାଡି ଯାଇଥିଲା। ମାତ୍ର ଅପରାହ୍ନ ୪ଟା ବେଳକୁ ପ୍ରବଳ ପରିମାଣରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହା ପ୍ରବାହରେ ଗାଁରୁ ପଞ୍ଚାୟତ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଭରସା ଯୋଗ୍ୟ ରାସ୍ତାଟି ଏବେ ୯୦ ପ୍ରତିଶତ ବୁଡ଼ିଯାଇଛି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏପରିକି ରାତି ଭିତରେ ଗ୍ରାମଟି ଏକପ୍ରକାର ସମ୍ପୂର୍ଣ୍ଣ ରୂପେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଅନୁରୂପ ଭାବେ ଗାଁ ଭିତରେ ବନ୍ୟାପାଣି ପଶୁଥିବାରୁ ଗ୍ରାମର ଶତାଧିକ ପରିବାରର ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ସେହିପରି ସ୍ଥାନୀୟ ମୁରବୀଙ୍କ କହିବା କଥା ବନ୍ୟା ପରିସ୍ଥିତି ସୃଷ୍ଟି ହେବା କାରଣରୁ ଉକ୍ତ ପଞ୍ଚାୟତ ଅଧିନସ୍ଥ ଅନେକ ମୌଜାରେ ଥିବା ପ୍ରାୟ ୮ଶହ ହେକ୍ଟରରୁ ଊର୍ଦ୍ଧ୍ୱ ଖରିଫ ଧାନ ଫସଲ ଜମିରେ ବନ୍ୟା ଜଳ ଲହଡ଼ି ମାରିବା କାରଣରୁ ଧାନ କ୍ଷେତ ଏବେ ଉଜୁଡ଼ି ଯିବାକୁ ବସିଛି। ତେବେ ଏନେଇ ବରୀ ବ୍ଲକ ପ୍ରଶାସନର ନିର୍ଦ୍ଦେଶକ୍ରମେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ସ୍କୁଲଠାରେ ବନ୍ୟା ପୀଡ଼ତଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଉଛି ।
