ରାଜ୍ୟ

ସ୍ବାଧୀନତା ଆମ ଏକତା ଓ ସହଭାଗିତା ର ପ୍ରତୀକ :ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Spread the love

ପୁରୀ : ତ୍ରିରଙ୍ଗା ଆମ ଜାତୀୟ ଏକତା,ସହଭାଗିତା ଓ ଅଖଣ୍ଡତାର ପ୍ରତୀକ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ ସ୍ୱାଧୀନତା ବୋଲି କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସିଂଖୁଣ୍ଟିଆ ସକାଳ ୮.୫୫ ମିନିଟ ରେ ପ୍ୟାରେଡ଼ ପଡିଆରେ ପହଞ୍ଚିବା ପରେ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ବନ୍ଦେ ମାତରମ ଜାତୀୟ ଗୀତ ପରିବେଷଣ କରାଯାଇଥିଲା।ପରେ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପୋଲିସ ବ୍ଯାଣ୍ଡ ଦ୍ବାରା ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା।ପରେ ପରେ ମୁଖ୍ୟ ଅତିଥି ପ୍ୟାରେଡ଼ ପରିଦର୍ଶନ ଓ ସମ୍ମିଳିତ ପାରେଡରେ ଅଭିବାଦନ ଗ୍ରହଣ କରି ଶ୍ରୀକ୍ଷେତ୍ର ପୁରୀ ବାସୀ ଙ୍କୁ ସ୍ୱାଧୀନତା ଦିବସ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ସମେତ ସମସ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ମୋଗଲ, ପର୍ତ୍ତୁଗୀଜ ଇଂରେଜ ମାନଙ୍କ କବଳରୁ ଦେଶକୁ ମୁକ୍ତ କରି ଆମ ପ୍ରାତଃ ସ୍ମରଣୀୟ ସଂଗ୍ରାମୀ ମାନେ ଯେଉଁ ମହାନ ସ୍ବାଧୀନତା ଦେଇଛନ୍ତି ତାହା ସମ୍ପର୍କରେ ଆଜିର ଯୁବ ପିଢି ବା ଜେନ ଜି,ଆଲଫା ଜେନ ମାନେ ଜାଣିବା ଆବଶ୍ୟକ।ସେପରି କଳଙ୍କିତ ସମୟ ଆଉ ଆମକୁ ସ୍ପର୍ଶ ନ କରୁ ବୋଲି ଆମେ ସଂକଳ୍ପ ନେବା ଆବଶ୍ୟକ।ଗରିବ, ଯୁବବର୍ଗ, ନାରୀ ଶକ୍ତି ର ବିକାଶ ଦ୍ବାରା ଆମ ଦେଶ ବିକଶିତ ହେବ।ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଯୋଗାଯୋଗ ଓ ପରିବହନ, ମହିଳା ସଶକ୍ତିକରଣ, ଶିଳ୍ପ, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ, ଖାଦ୍ୟ ସୁରକ୍ଷା, ଯୁବ ସଶକ୍ତିକରଣ ଆଦି କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି।ଏହି ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ଫଳରେ ଓଡ଼ିଶାର ବୈପ୍ଳବିକ ପରିବର୍ତ୍ତନ ଆସିବ ।ଓଡିଶା ଅର୍ଥନୈତିକ ଅଭିବୃଦ୍ଧି ର ରାଜ୍ୟ ଭାବେ ଦ୍ରୁତ ବିକାଶ କରୁଛି।୨ ବର୍ଷ ମଧ୍ୟରେ ସରକାର ୪୬ ହଜାର ନିଯୁକ୍ତି ଦେଇଛନ୍ତି ଓ ୫ ବର୍ଷ ମଧ୍ୟରେ ୧ ଲକ୍ଷ ୫୦ ହଜାର ଲୋକ ଙ୍କୁ ନିଯୁକ୍ତି ବ୍ୟବସ୍ଥା ରହିଛି।ପୁରୀ ର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।ବିମାନ ବନ୍ଦର ପାଇଁ ଯାହା ସମସ୍ୟା ଥିଲା ଦୂର ହୋଇଛି।ଶିକ୍ଷାକ୍ଷେତ୍ରରେ ଅଧିକ ବିକାଶ ପାଇଁ ପ୍ରତ୍ୟେକ ପଞ୍ଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରାଯାଇଛି ଓ ବର୍ତ୍ତମାନ ସୁଦ୍ଧା ୨୨ ଶହ ବିଦ୍ୟାଳୟ କୁ ନିଆଯାଇଛି।ଲୋକାଲ ଫର ଭୋକାଲ କୁ ପ୍ରୋତ୍ସାହିତ କରି ଶିଳ୍ପ କୁ ପ୍ରୋତ୍ସାହନ ଦିଆଯାଇଛି ଓ ୧୦୦ରୁ ଉର୍ଦ୍ଧ୍ବ ଶିଳ୍ପ ପ୍ରତିଷ୍ଠା ହେଉଛି।ଆୟୁଷ୍ମାନ ଭାରତ ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ଓ ବୟୋବନ୍ଦନ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ବରିଷ୍ଠ ମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି।ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ କୁ ସଫଳ କରିବାକୁ ଆମେ ସମନ୍ବିତ ଉଦ୍ୟମ ଓ କଠୋର ପରିଶ୍ରମ କରିବାକୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆହ୍ଵାନ ଦେଇଥିଲେ।ଏହା ପରେ ସଂସ୍କୃତି କାର୍ଯ୍ଯାଳୟ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତୀୟମ ପରିବେଷଣ କରାଯାଇଥିଲା। ପରେ ମନ୍ତ୍ରୀ ଗତ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ଥିବା ଛାତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କୁ,ନିଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୭୦ ରାଙ୍କ ରଖିଥିବା ଅନ୍ବେଷା ସୁନନ୍ଦରାୟ ଙ୍କୁ, ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋପ ସିଏଚସିର ଡାକ୍ତର ଜସ୍ମିନ ଆଫ୍ରୋଜ ଙ୍କୁ,ସ୍ବାସ୍ଥ୍ୟ ବିଭାଗ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କୁ, ନର୍ସିଂ ଅଫିସର ପୁଷ୍ପାଞ୍ଜଳି ରଣସିଂ ଙ୍କୁ, ସମଙ୍ଗ ଅଙ୍ଗନବାଡି କର୍ମୀ ଟୁନି ମହାନ୍ତି ଙ୍କୁ,ସଫେଇ କର୍ମଚାରୀ ନିଲୁ ଗୋଛୟତ ଓ ବୁଦ୍ଧିଆ ନାଏକ ଙ୍କୁ,ଆନ୍ତର୍ଜାତୀୟ ଓ ଜାତୀୟ କ୍ରିଡା ରେ ସଫଳ ହୋଇ ଥିବା ଖୋ ଖୋ କ୍ରୀଡାବିତ ଓ ହ୍ୟାଣ୍ଡବଲ ଖେଳାଳିଙ୍କୁ, ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ପାରେଡ ରେ ସିନିୟର ଏନସିସି ରେ ଶ୍ରେଷ୍ଠ ସୂରଜ ମଲ୍ଲ ଶାହା ମହାବିଦ୍ୟାଳୟ ଟିମ ଙ୍କୁ,ଜୁନିୟର ଡିଭିଜନ ଏନସିସି ବାଳକରେ ପୁରୀ ଜିଲ୍ଲା ସ୍କୁଲ ଜୁନିୟର ୱ୍ବିଙ୍ଗ,ଜୁନିୟର ଏନସିସି ବାଳିକା ରେ ସେଣ୍ଟ ଜାଭିୟର ହାଇସ୍କୁଲ ଜୁନିୟର ୱ୍ବିଙ୍ଗ ଙ୍କୁ, ସ୍କାଉଟ ରେ ପୁରୀ ଜିଲ୍ଲା ସ୍କୁଲ ବାଳକ, ଗାଇଡ ରେ ବିଶ୍ବମ୍ଭର ବିଦ୍ୟାପୀଠ ଓ ଶୃଙ୍ଖଳିତ ଦଳ ଭାବେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସିନିୟର ଡିଭିଜନ ଏନସିସି ଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ପୁନଶ୍ଚ ବନ୍ଦେ ମାତରମ ଓ ଜାତୀୟ ସଂଗୀତ ପରିବେଷଣ ପରେ ପ୍ୟାରେଡ଼ ପଡିଆ ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।ପ୍ୟାରେଡ଼ କମାଣ୍ଡର ଚିତ୍ତରଞ୍ଜନ ମହାନ୍ତି ଙ୍କ ନେତୃତ୍ୱରେ ୪୮ ଗୋଟି ଦଳ ପ୍ୟାରେଡ଼ ରେ ଅଂଶଗ୍ରହଣ କରିଥିଲେ।ପରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଉତ୍କଳ ବାଳାଶ୍ରମ ର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ପୋଷାକ ବଣ୍ଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚାରା ରୋପଣ,ରୋଗୀ ମାନଙ୍କୁ ଫଳ ବଣ୍ଟନ ସହ ସମ୍ମିଳନୀ କକ୍ଷରେ ଏକ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ,ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ,ଡିଏଫଓ ମଗର ଧନଜୀ ରାଓସୋ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅନ୍ୟାନ୍ୟ ଅଧିକାରୀ , ଗଣମାଧ୍ୟମ ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ।ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା।ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଗାନ୍ଧୀ ଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସର୍ବୋଦୟ କମିଟି ସହଯୋଗ ରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ କୂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପରିଚାଳନା କରା ଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!