ଭୁବନେଶ୍ୱର: ଜାତୀୟ ମେଡିକାଲ କମିଶନ (NMC) ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ପିଜି ଅନୁଷ୍ଠାନରେ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ବୃଦ୍ଧି ଯୋଗୁଁ ରାଜ୍ୟରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି।ପୂର୍ବରୁ ରାଜ୍ୟର କଟକ ସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ,ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର, ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଏବଂ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସମେତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପିଜି ମେଡିକାଲ ଶିକ୍ଷା ପ୍ରଦାନ କରାଯାଉଥିଲା ।
ଆଜି ଜାତୀୟ ମେଡିକାଲ କମିଶନଙ୍କ ଅନୁମୋଦନ କ୍ରମେ ରାଜ୍ୟର ନୂତନ ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିମଧ୍ୟରେ କେନ୍ଦୁଝରର ଧରଣୀଧର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୧୦ଟି ବିଭାଗରେ ୪୪ଟି, ସୁନ୍ଦରଗଡର ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୨ଟି, କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୯ଟି ବିଭାଗରେ ୨୮ଟି, ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୧୦ଟି ବିଭାଗରେ ୩୨ଟି ଏବଂ ଫୁଲବାଣୀର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ୮ଟି ବିଭାଗରେ ୨୭ଟି ପିଜି ସିଟ୍ ଅନୁମୋଦନ ମିଳିଛି । ସେହିପରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୨୦ରୁ ବୃଦ୍ଧି ପାଇ ୫୩ ହୋଇଛି। ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୧୦ରୁ ବୃଦ୍ଧି ପାଇ ୫୪ ହୋଇଛି | ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୮ରୁ ବୃଦ୍ଧି ପାଇ ୫୪ ହୋଇଛି। ଏହା ସହ ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ୧୧ଟି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୭ଟି, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୩ଟି ଏବଂ ଭୀମସାର, ବୁର୍ଲାରେ ୧୧ଟି ପିଜି ସିଟ୍ ବୃଦ୍ଧି କରାଯାଇଛି । ଏହି ଅତିରିକ୍ତ ସିଟ୍ଗୁଡ଼ିକ ଆନାଟୋମି, ଆନାସ୍ଥେସିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍, ଇଏନଟି , ଜେନେରାଲ ମେଡିସିନ୍, ଜେନେରାଲ ସର୍ଜରୀ, ମାଇକ୍ରୋବାୟୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ, ଅର୍ଥୋପେଡିକ୍ସ, ପେଡିଆଟ୍ରିକ୍ସ, ପାଥୋଲୋଜି, ସାଇକିଆଟ୍ରି ଏବଂ ରେସ୍ପିରେଟୋରି ମେଡିସିନ୍ ଆଦି ୧୪ଟି ବିଭାଗରେ ଉପଲବ୍ଧ ହେବ।ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ପିଜି ସିଟ୍ ସଂଖ୍ୟା ବୃଦ୍ଧି ପାଇବା କେବଳ ମେଡିକାଲ ଶିକ୍ଷାର ସମ୍ପ୍ରସାରଣ ନୁହେଁ, ବରଂ ରାଜ୍ୟରେ ଅଧିକ ସଂଖ୍ୟକ ଦକ୍ଷ ଓ ବିଶେଷଜ୍ଞ ଡାକ୍ତର ସୃଷ୍ଟି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ।
